ତାରିଣୀ ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌, ୬ ଗୁରୁତର

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ସ୍କୁଲ ନିକଟରେ ଶନିବାର ଅପରାହ୍ନରେ ଏକ କାର୍‌କୁ ଲୁବ୍ରିକାଣ୍ଟ୍‌ ବୋଝେଇ ଏକ ଟ୍ରକ୍‌  ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାର୍‌ଟି ସମ୍ପୂର୍ଣ୍ଣ ଚୂର୍‌ମାର୍‌ ହୋଇଯାଇଛି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡିଛି। ଗୁରୁତରମାନେ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ଆଦ୍ୟା ରଶ୍ମି ରାଉତ(୪୫) ଭଦ୍ରକ କୁପାରୀର ଅତୂଲ୍ୟ ମହାପାତ୍ର,(୪୫) ତାଙ୍କ ସ୍ତ୍ରୀ ନମିତା (୩୫) ଅନନ୍ୟା ମହାପାତ୍ର(୫) ଏ. ମହାପାତ୍ର (୧୨) ଭାବ୍ୟା ପାଇକରାୟ(୩)। ଜାମସେଦପୁରରୁ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ଧାନବେଣୀ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଏବଂ ହେଲ୍‌ପର ଗାଡ଼ି ଛାଡି ଫେରାର ହୋଇ ଯାଇଥିବା ପାଟଣା ଥାନା ଏସ୍‌ଆଇ ମନୋରମା ସ୍ବାଇଁ କହିଛନ୍ତି। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ୨ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି।

Share