କେନ୍ଦୁଝର,୧୪ା୯(ସ୍ବ.ପ୍ର.): ସୋମବାର ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନ୍ଏଚ୍ -୪୯ରେ ଲୁହାପଥର ବୋଝେଇ ଟ୍ରକ୍ ଜାମ ଯୋଗୁ ବାଂଶପାଳ ବ୍ଲକ ଅଞ୍ଚଳରୁ ପରୀକ୍ଷା ଦେବାକୁ ଆସିଥିବା ପ୍ରାୟ ୫୦ ପରୀକ୍ଷାର୍ଥୀ ଡଙ୍ଗପାଣି-ଅଞ୍ଜର ରାସ୍ତାରେ ଫସିଯାଇଥିଲେ। ପରେ ଖବର ପାଇ ପରୀକ୍ଷା କେନ୍ଦ୍ରର ଶିକ୍ଷକ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପହଞ୍ଚି ବାଇକ ଓ ଅଟୋ ବ୍ୟବସ୍ଥା କରି ଆଣିଥିଲେ। ଉକ୍ତ ସ୍ଥାନରେ ସବୁବେଳେ ରାସ୍ତା ଜାମ ରହୁଥିବାରୁ ସ୍ଥାନୀୟ ସାଧାରଣ ଲୋକ, ରାସ୍ତାରେ ଯାତାୟାତ କରୁଥିବା ବାହାର ଲୋକ, ଲାଇନ ଟ୍ରକ୍ ଦୀର୍ଘଘଣ୍ଟା ଧରି ଫସି ରହୁଥିଲେ ହେଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଉକ୍ତ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହେଉଛି। ବାରମ୍ବାର ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡୁଥିଲେ ହେଁ ପୋଲିସ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି।