ଅଧାରେ ରହିଲା ପାଣିଭାର :୨ କାଉଡିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଖଲ୍ଲିକୋଟ,୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଡିମିରିଆ ଛକ ନିକଟରେ ଶନିବାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ କାଉଡ଼ିଆ ଓ ଜଣେ ଶ୍ରମିକଙ୍କ ଉପରେ ଟ୍ରକ ମାଡିଯିବାରୁ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୩ ଜଣଙ୍କ ଉପରେ ଟ୍ରକ୍‌ ମାଡି ଯିବାପରେ ଆଗକୁ ଯାଇ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଟ୍ରକ ଭିତରେ ଡ୍ରାଇଭର ଓ ହେଲ୍‌ପର ଫସି ରହିଥିଲେ । ଉଭୟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡ୍ରାଇଭରର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ମୃତ କାଉଡ଼ିଆ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଭଗବତୀ ମନ୍ଦିର ନିକଟସ୍ଥ ହରିଜନ ସାହିର ରଞ୍ଜି ନାୟକ, ପପୁ ନାୟକ ଏବଂ ଖଲ୍ଲିକୋଟ ଥାନା ଦଲିବାଟି ଗ୍ରାମର ଶ୍ରମିକ ଏ. ବନମାଳି ପାତ୍ର ବୋଲି ଜଣା ପଡ଼ିଛି ।
ସୂଚନା ଅନୁଯାୟୀ, କାଉଡ଼ିଆ ରଞ୍ଜି ଓ ପପୁ ଋଷିକୂଲ୍ୟା ନଦୀରୁ ପାଣିଭାର ନେଇ ବାଲୁଗାଁ ଉମା ମହେଶ୍ୱର ମନ୍ଦିର ଅଭିମୁଖେ ଚାଲିଚାଲି ଯାଉଥିବା ସମୟରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଚଷୁ ବୋଝେଇ ଟ୍ରକ ନମ୍ବର ଏପି ୩୯ ୟୁ ୧୯୪୯ ଡିମିରିଆ ଛକ ନିକଟରେ ହଠାତ ଦୁଇ କାଉଡ଼ିଆଙ୍କ ଉପରେ ମାଡିଯିବା ସହ ସାଇକେଲରେ ଆସୁଥିବା ଜଣେ ଶ୍ରମିକଙ୍କୁ ଧକ୍କାଦେଇ ଥିଲା। କିଛି ଦୂରରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଖବରପାଇ ଖଲ୍ଲିକୋଟ ଥାନା ପୋଲିସ, ରମ୍ଭା ଥାନା ପୋଲିସ ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଟ୍ରକ୍‌ ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।