ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌, କୁନି ପୁଅ ଆଗରେ ଚାଲିଗଲା ମା-ବାପାଙ୍କ ଜୀବନ

ଉମରକୋଟ,୧୨ା୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟର କୁନ୍ଦେଇ ଥାନା ରାବଣାଗୁଡ଼ା ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍‌ ଉପରେ ଏକ ଟ୍ରକ୍‌ ମାଡ଼ି ଯିବାରୁ ମା-ବାପାଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଅ ସହ ଆଜି ଦମ୍ପତି ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ପାଣି ଢାଳି ଫେରିବା ବେଳେ ଏହି ଅଘଟଣ ଘଟିଛି।

ସୂଚନାନୁଯାୟୀ, ପରଚିପାରା ଗ୍ରାମର ଅଜିତ ମଜୁମଦାର ଓ ଦୀପିକା ମଜୁମଦାର ପଡ଼ୋଶୀ ଛତିଶଗଡ଼ରେ ଥିବା ସିହାବା ଯାଇ ପାଣି ଆଣି ହାତଭରଣ୍ଡୀ ଶିବମନ୍ଦିରରେ ପାଣି ଢାଳି ବାଇକ୍‌ ଯୋଗେ ମା, ବାପା ଓ ପୁଅ ନିଜ ଘର ପରଚିପାରାକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ବାଇକ ଉପରରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ମା’-ବାପାଙ୍କ ମୃତ୍ୟୁ ଘଟିଥିଲା କିନ୍ତୁ ସୌଭାଗ୍ୟ ବଶତଃ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି କୁନି ପୁଅ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ହାଟଭରଣ୍ଡୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି।

Share