ହୋଟେଲରୁ ଭଦ୍ରକ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିିଳିବା ଘଟଣା: ସିସିଟିଭି କ୍ୟାମେରାରେ ଲୁଚିଛି ସତ

ଭୁବନେଶ୍ୱର,୭।୮(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ରେ ଥିବା ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରୁ ଭଦ୍ରକ ଯୁବତୀ ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ଲାଗି ରହିଛି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଚର୍ଚ୍ଚା ଲାଗିରହିଛି। ଅପରପକ୍ଷେ ତଦନ୍ତବେଳେ ଜଣାପଡିଛି ଯେ, ଶୁଭଲକ୍ଷ୍ମୀ ଶୁକ୍ରବାର ଭୋର୍‌ ୩ଟା ୨୦ରେ ଉକ୍ତ ହୋଟେଲକୁ ଚେକ୍‌ ଇନ୍‌ କରିଥିଲେ। ତେଣୁ ରାତି ସାରା ସେ କେଉଁଠି ଥିଲେ ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ତେବେ ସେ ରାତିରେ ଏକା ବୁଲୁଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ତାହା ମଧ୍ୟ ଜଣାପଡିନାହିଁ। ଏପଟେ ପରିବାର ଲୋକ ଗଣମାଧ୍ୟମ ଜରିଆରେ ହତ୍ୟା ଅଭିଯୋଗ ଆଣିବାରୁ ଘଟଣା ଭିନ୍ନ ମୋଡ ନେଇଛି। ଖଟରେ ବସି ରହିବା ଅବସ୍ଥାରେ କେମିତି ଜଣେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବେ ବୋଲି ଶୁଭଲକ୍ଷ୍ମୀଙ୍କ ଭାଇ ପ୍ରଶ୍ନ କରିଛନ୍ତି। ରବିବାର ଶୁଭଲକ୍ଷ୍ମୀଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ ୨୪/୨୩) ରୁଜୁ କରି ତଦନ୍ତ ଚଳାଇଛି। ତେବେ ଜବତ ହୋଇଥିବା ମୋବାଇଲରୁ ପୋଲିସ କିଛି ପ୍ରମାଣ ପାଇବାକୁ ଆଶା ରଖିଛି। ଏଥିସହ ଉକ୍ତ ହୋଟେଲର ସିସିଟିଭି ଫୁଟେଜ୍‌ରେ ଘଟଣା ପଛର ସତ ଲୁଚିରହିଥିବା ଆଲୋଚନା ହେଉଥିବାରୁ ପୋଲିସ ମଧ୍ୟ ସେଦିଗକୁ ନେଇ ଖୋଳତାଡ଼ ଚଳାଇଛି।
ସୂଚନାନୁଯାୟୀ, ଶୁଭଲକ୍ଷ୍ମୀ ଭଦ୍ରକର ହୋଇଥିବାବେଳେ ଭୁବନେଶ୍ୱର ୟୁନିଟ-୧ସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଯୁକ୍ତ୨ରେ ପଢ଼ୁଥିଲେ। ଶୁକ୍ରବାର ସେ ଉକ୍ତ ହୋଟେଲକୁ ଆସି ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ। କିନ୍ତୁ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ କରିବାକୁ ତଳ ମହଲାକୁ ଆସି ନ ଥିବାରୁ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ମ୍ୟାନେଜର ଉକ୍ତ ରୁମ୍‌ର କବାଟ ଭାଙ୍ଗି ଭିତରକୁ ପଶିବାରୁ ଯୁବତୀ ଜଣକ ଓଢଣୀ ଦ୍ୱାରା ଫ୍ୟାନ୍‌ରେ ଝୁଲଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ପୋଲିସକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ମୃତା ଯୁବତୀ ଜଣକ ପାଠପଢ଼ା ସହ ଆଉ କ’ଣ କରୁଥିଲେ ସେନେଇ ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Share