ଖବର ପ୍ରକାଶ ପରେ ମରାମତି ହେଲା ନଳକୂପ

ନୂଆଗାଁ,୭।୧୨(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ କୋରଡା ପଞ୍ଚାୟତ ବେଲବଣି ଗ୍ରାମରେ ୧୦ ଦିନ ହେଲା ସୋଲାର ଜଳ ଯୋଗାଣ ବ୍ୟବସ୍ଥା ଓ ନଳକୂଅ ଉଭୟ ଖରାପ ହୋଇ ଯାଇଥିବାରୁ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଥିଲେ । ଏ ନେଇ ଗ୍ରାମର ମହିଳାମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ା ଏ ସଂକ୍ରାନ୍ତରେ ଧରିତ୍ରୀରେ ବୁଧବାର ଖବର ପ୍ରକାଶିତ ହେବା ପରେ ଆରଡବ୍ଳ୍ୟୁଏସ୍‌ଏସ୍‌ କର୍ମଚାରୀ ନଳକୂପ ମରାମତି କରିଛନ୍ତି । କିନ୍ତୁ ନଳକୂଅ ଭିତରେ ପାଣିଉଠା ମୋଟର ଫସି ରହିଥିବାରୁ ସୋଲାର ସିଷ୍ଟମ ଅକାମୀ ହୋଇଯାଇଛି। ତେଣୁ ଗ୍ରାମବାସୀ ସୋଲା ବ୍ୟବସ୍ଥାରେ ପାଣି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି।
ସୂଚନା ମୁତାବକ ନୂଆଗାଁ ବ୍ଲକ କୋରଡା ପଞ୍ଚାୟତ ବେଲବଣି ଗ୍ରାମରେ ପ୍ରାୟ ୨୨ ଆଦିବାସୀ ପରିବାର ବସବାସ କରୁଛନ୍ତି। ସେମାନଙ୍କ ବ୍ୟବହାର ନିମନ୍ତେ ଗୋଟିଏ ମାତ୍ର ନଳକୂଅ ରହିଛି। ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ସେହି ନଳକୂଅରେ ସୋଲାର ସିଷ୍ଟମ କରି ପାଇପ୍‌ ଯୋଗେ ପାଣି ଦିଆଯାଉଥିଲା। ତାହା ଅଚଳ ହୋଇଯିବାରୁ ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ । ତେଣୁ ୧୦ ଦିନ ପୂର୍ବେ ନଳକୂଅ ମରାମତି ମିସ୍ତ୍ରୀ ଯାଇ ନଳକୂଅକୁ ଖୋଲିଥିଲେ । କିନ୍ତୁ ତାହାକୁ ମରାମତି କରିବା ପରିବର୍ତ୍ତେ ପାଇପ୍‌ ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଗାଁରେ ଥିବା ଗୋଟିଏ ମାତ୍ର ନଳକୂଅର ପାଣି ଖରାଦିନେ ଶୁଖିଯାଉଛି । ତେଣୁ ଲୋକମାନେ ବାଧ୍ୟ ହୋଇ ଗହିର ମଝିରେ ଥିବା ଖୋଲାକୂଅର ପାଣି ବ୍ୟବହାର କରୁଛନ୍ତି ା ତେଣୁ ଗ୍ରାମରେ ଆଉ ଗୋଟିଏ ଗଭୀର ନଳକୂଅ ଖୋଳିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

Share