କାମାକ୍ଷାନଗର,୩୧।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା କହ୍ନେଇପାଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ଏକ ନିର୍ମାଣାଧୀନ କୂଅରେ ପଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଶେଷ ପାତ୍ରଙ୍କ ଝିଅ ଶ୍ରୁତି (୫) ଏବଂ ତାଙ୍କ ଭାଣିଜୀ ପ୍ରିୟଙ୍କା(୬) ସନ୍ଧ୍ୟାରେ ଗ୍ରାମର ଏକ ଦୋକାନକୁ ଜଳଖିଆ ପାଇଁ ଯାଇଥିଲେ। ଫେରିବା ସମୟରେ ଉଭୟେ ଉକ୍ତ ନିର୍ମାଣଧୀନ କୂଅରେ ଖସିପଡ଼ିଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ କୂଅରୁ ଉଭୟଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଶେଷଙ୍କ ଦୁଇ ଝିଅ ପୁଅଙ୍କ ମଧ୍ୟରେ ଶ୍ରୁତି ବଡ଼। ସେହିପରି ଉକ୍ତ ଗ୍ରାମରେ ବିବାହ କରିଥିବା ଶେଷଙ୍କ ଭଉଣୀଙ୍କ ୩ ଝିଅ ମଧ୍ୟରୁ ପ୍ରିୟଙ୍କା ମଝିଆ। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।