ସ୍କୁଲରେ ଦୁଇ ଶିକ୍ଷୟିତ୍ରୀ ହାତାହାତି

ଭୋଗରାଇ,୨୭।୮(ଡି.ଏନ.ଏ.): ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶୃଙ୍ଖଳାଜ୍ଞାନ ଶିଖାଇବା ଦାୟିତ୍ୱ ଶିକ୍ଷୟିତ୍ରୀ ଶିକ୍ଷକଙ୍କର। ହେଲେ ସ୍କୁଲ ପରିସରରେ ଦୁଇ ଶିକ୍ଷୟିତ୍ରୀ ନିଜ ନିଜ ମଧ୍ୟରେ ହାତାହାତି ହେବା ଓ ଜଣଙ୍କ ଆକ୍ରମଣରେ ଆଉ ଜଣଙ୍କ ମୁଣ୍ଡ ଫାଟିବା ଭଳି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଆହତ ଶିକ୍ଷୟିତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ।
ଉଲୁଡା ଗ୍ରାମର ବନମାଳୀ ମାଝି ପ୍ରାଥମିକ ବିଦ୍ୟାଳୟର ସୀତାଞ୍ଜଳି ଧଳ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ଶୁକ୍ରବାର ସ୍କୁଲକୁ ବିଳମ୍ବରେ ଆସିବାରୁ ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରା ମୋବାଇଲରେ ଭିଡିିଓ କରୁଥିଲେ। ଏହାକୁ ନେଇ ସୀତାଞ୍ଜଳି ଉତ୍‌କ୍ଷିପ୍ତ ହୋଇ ପଡ଼ିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଇନ୍ଦୁମତୀଙ୍କୁ ସୀତାଞ୍ଜଳି ଚାପୁଡ଼ା ମାରିବା ସହିତ ତାଙ୍କୁ ଠେଲିଦେବାରୁ ସ୍କୁଲ କାନ୍ଥରେ ତାଙ୍କର ମୁଣ୍ଡ ବାଡ଼େଇ ହୋଇ ଫାଟିଯାଇଥିଲା। ଆହତ ଶିକ୍ଷୟିତ୍ରୀଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ଗ୍ରାମବାସୀ ମିଳିତ ହୋଇ ବିଦ୍ୟାଳୟରେ ତାଲା ପକାଇବା ସହ ଦୋଷୀ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଧାରଣାରେ ବସିଛନ୍ତି। ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ, କମର୍ଦ୍ଦା ପୋଲିସ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁଇ ଶିକ୍ଷୟିତ୍ରୀଙ୍କ ପକ୍ଷରୁ କମର୍ଦ୍ଦା ଥାନାରେ ପୃଥକ ଭାବେ ଲିଖିତ ଅଭିଯୋଗ କରାଯାଇଛି।

Share