ନୂଆଦିଲ୍ଲୀ: ଦେଶର ୨ ଚକିଆ ଯାନ ନିର୍ମାତା କମ୍ପାନୀଗୁଡିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଯାନର ମୂଲ୍ୟ ୨% ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହା ମଧ୍ୟରେ ହିରୋ ମୋଟୋକର୍ପ, ହୋଣ୍ଡା ମୋଟର ସାଇକେଲ ଏବଂ ବଜାଜ ରହିଥିବା ଜଣାପଡିଛି। ଏହି ମୂଲ୍ୟ ବୃଦ୍ଧି ଗୁରୁବାରଠାରୁ ଲାଗୁ ହୋଇଛି। ଇନ୍ପୁଟ ଖର୍ଚ୍ଚ ବଢିବାରୁ କମ୍ପାନୀଗୁଡିକ ଏଭଳି ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କରେ ହୋଣ୍ଡା ଏବଂ ବଜାଜ ଅଟୋର ମତାମତ ଲୋଡାଯାଇଥିଲେ ମଧ୍ୟ ମିଳିପାରିନାହିଁ। ଇନ୍ପୁଟ ଖର୍ଚ୍ଚ ବଢିବାରୁ ମୂଲ୍ୟରେ ସାମାନ୍ୟ ବୃଦ୍ଧି କରାଯାଇଥିବା ହିରୋ ପକ୍ଷରୁ ସୂଚନା ରହିଛି। ଫଳରେ କମ୍ପାନୀର ବାଇକ ଏବଂ ସ୍କୁଟର ମୂଲ୍ୟ ପ୍ରାୟ ୨% ପର୍ଯ୍ୟନ୍ତ ବଢ଼ିବ। ସେପ୍ଟେମ୍ବର ପହିଲାରୁ ରୟାଲ ଏନ୍ଫିଲ୍ଡ ଏହାର ଯାନ ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିସାରିଛି। ଟିଭିଏସ୍ ମୋଟର୍ସ ବର୍ତ୍ତମାନ ଯାଏ କୌଣସି ଘୋଷଣା କରିନାହିଁ। ଶୀଘ୍ର ଏ ନେଇ ନିଷ୍ପତ୍ତି ହୋଇପାରେ ବୋଲି କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।