ପ୍ରକାଶ ପାଇଲା ୟୁଜିସି ଏକାଡେମିକ କ୍ୟାଲେଣ୍ଡର

ଭୁବନେଶ୍ୱର,୧୭।୭(ବ୍ୟୁରୋ): କରୋନା ସଂକ୍ରମଣ ଭିତରେ ୟୁଜିସି ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କରୋନା ସମୟରେ କିପରି ପାଠପଢ଼ା ଆରମ୍ଭ କରିବେ, ସେନେଇ ଗାଇଡ଼ଲାଇନରେ ଉଲ୍ଲେଖ କରାଯାଇଛି। ଆସନ୍ତା ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରିବା ସହ ୟୁଜିସି ଅପଡେଟ୍‌ ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ କରିଛି।

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମ ଲେଖା ଓ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଅଣ୍ଡର ଗ୍ରାଜୁଏଟ(ୟୁଜି) ପାଠ୍ୟକ୍ରମର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସରିବ। ପାଠପଢ଼ା ଅକ୍ଟୋବାର ୧ ସୁଦ୍ଧା ଆରମ୍ଭ କରାଯିବ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଯଥାଶୀଘ୍ର ବ୍ୟବସ୍ଥା କରିବାକୁ ୟୁଜିସି ଗାଡ଼ଲାଇନ୍‌ରେ ଉଲ୍ଲେଖ ରହିଛି। ସ୍ଥାନୀୟ ଅଞ୍ଚଳର ସଂକ୍ରମଣ ସ୍ଥିତିକୁ ଦେଖି କ୍ଲାସ ଅନ୍‌ଲାଇନ କିମ୍ବା ଅଫ୍‌ଲାଇନରେ ଆରମ୍ଭ କରାଯାଇପାରିବ। ଜୁଲାଇ ୩୧ ପୂର୍ବରୁ ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଯଦି ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୁଏ, ତେବେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଅକ୍ଟୋବର ୧୮ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରିପାରନ୍ତି ବୋଲି ଗାଇଡ଼ଲାଇନ୍‌ରେ ଉଲ୍ଲେଖ କରାଯାଇଛି।

ସେହିପରି ଗତ ଶେଷବର୍ଷ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ସାରିବାକୁ ଗାଇଡ଼ଲାଇନରେ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଥିବା ବେଳେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ବଳକା ସିଟ୍‌ ପାଇଁ ନାମଲେଖା ସାରିବାକୁ କୁହାଯାଇଛି।

Share