Categories: ଫୁରସତ

ସବୁଠୁ ଅସୁନ୍ଦର କୁକୁର ‘ସ୍କୁଟର’

ୱାଶିଂଟନ୍‌: ବିଭିନ୍ନ ସମୟରେ ଅନେକ ପ୍ରତିଯୋଗିତା ହେଉଛି। ଯେଉଁଥିରେ ଲୋକଙ୍କୁ ଶ୍ରେଷ୍ଠ ସୁନ୍ଦରୀ ଭାବେ ପୁରସ୍କୃତ କରାଯାଉଛି। ନିକଟରେ ୭ ବର୍ଷୀୟ ଚାଇନା ପ୍ରଜାତିର ଏକ କୁକୁର ‘ସ୍କୁଟର’କୁ ସବୁଠୁ ଅସୁନ୍ଦର କୁକୁର ଭାବେ ପୁରସ୍କୃତ କରାଯାଇଛି। ଏଥିରେ ‘ସ୍କୁଟର’କୁ ୧୫୦୦ ଡଲାର ଅର୍ଥାତ୍‌ ୧୨୨ ଲକ୍ଷ ଟଙ୍କା ଏବଂ ଟ୍ରଫି ଦିଆଯାଇଛି। ଏହି ପ୍ରତିଯୋଗିତା ଆମେରିକା କାଲିଫର୍ନିଆର ସୋନୋମା- ମାରିନ୍‌ ମେଳାରେ ଅନୁଷ୍ଠିତ ହୋଇଥିଲା। ଏହା ଏକ ଏପରି ପ୍ରତିଯୋଗିତା, ଯେଉଁଥିରେ କୁକୁରଙ୍କୁ ପାଳିବାକୁ ପ୍ରୋତ୍ସାହିତ କରାଯାଇଥାଏ। ଏଥିରେ ବିଭିନ୍ନ ପ୍ରଜାତିର କୁକୁରଙ୍କୁ ରଖାଯାଇଥାଏ। ଯେଉଁ କୁକୁର ପାଖରେ କିଛି ସମସ୍ୟା ରହିଥାଏ (ଅର୍ଥାତ୍‌ ତା’ ଦେହରେ ଚୁଟି ନ ଥିବା, ହାତ ବଙ୍କା ଥିବା ଆଦି ବିଭିନ୍ନ ପ୍ରକାରର ସମସ୍ୟା), ସେମାନଙ୍କୁ ନେଇ ଏହି ପ୍ରତିଯୋଗିତା କରାଯାଇ ପୁରସ୍କାର ଦିଆଯାଇଥାଏ। ଯେଉଁଥିପାଇଁ ଲୋକେ ସେମାନଙ୍କୁ ନେବାକୁ ମନା କରି ନ ଥାନ୍ତି। ଏହି ପ୍ରତିଯୋଗିତା ୫୦ ବର୍ଷ ଧରି ହୋଇଆସୁଛି। ଚଳିତବର୍ଷ ଏହି ପୁରସ୍କାର ‘ସ୍କୁଟର’ ନାମକ କୁକୁରକୁ ମିଳିଛି। ସ୍କୁଟର ତା’ ପାଦରେ ଠିକ୍‌ରେ ଚାଲିପାରୁ ନ ଥିବାବେଳେ ତା’ ଦେହରେ ଚୁଟି ନାହିଁ। କୁକୁରକୁ ଉଦ୍ଧାର କରାଯିବା ପରେ ରେସ୍କ୍ୟୁ ଟିମ୍‌ ୭ ବର୍ଷ ହେବା ତାଙ୍କ ପାଖରେ ରଖିଥିଲା। ଲିଣ୍ଡା ଏଲ୍ମକ୍ୱିଷ୍ଟ ନାମକ ଜଣେ ମହିଳା ମଝିରେ ମଝିରେ ସ୍କୁଟରକୁ ଦେଖିବାକୁ ଆସିଥାନ୍ତି। କୁକୁରର କିଛି ହେଲେ ତାକୁ ଡାକ୍ତରଙ୍କ ପାଖକୁ ମଧ୍ୟ ନେଇଯା’ନ୍ତି। ଯେତେବେଳେ ରେସ୍କ୍ୟୁ ଟିମ୍‌ କୁକୁରର ଦେଖାଶୁଣା କରିବା ଖର୍ଚ୍ଚ ଆଉ ଉଠାଇ ପାରିଲେନି, ସେତେବେଳେ ଲିଣ୍ଡା ସ୍କୁଟରକୁ ପାଳିବାକୁ ନିଜ ସହ ନେଇଗଲେ। ସ୍କୁଟର କେବଳ ତା’ ଆଗ ଗୋଡ଼ ସାହାଯ୍ୟରେ ଚାଲିପାରୁଛି। ସେଥିପାଇଁ ଲିଣ୍ଡା ଡାକ୍ତରଙ୍କ ସହ ପରାମର୍ଶ କରି ତା’ ପାଇଁ ଏକ ଗାଡ଼ିର ବ୍ୟବସ୍ଥା କରିବାକୁ କଥା ହୋଇଥିବା କହିଛନ୍ତି। ଗତବର୍ଷ ଅସୁନ୍ଦର କୁକୁର ପୁରସ୍କାର ‘ମିଷ୍ଟର ହେପ୍ପି କେସ’ ନାମକ କୁକୁରକୁ ମିଳିଥିଲା।

Share