ୟୁଆଇଡିଏଆଇ ସିଇଓ ହେଲେ ସୌରଭ ଗର୍ଗ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ବରିଷ୍ଠ ଅଧିକାରୀ ସୌରଭ ଗର୍ଗଙ୍କୁ ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଶୁକ୍ରବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୌରଭ ବର୍ତ୍ତମାନ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହାଛଡ଼ା ଆଇଏଏସ୍‌ ଅଫିସର ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଗଣଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ସେ ନ୍ୟାଶନାଲ କାଉନ୍‌ସିଲ ଫର୍‌ ଟିଚର ଏଜୁକେଶନର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସନ୍ତୋଷ ଷଡ଼ଙ୍ଗୀ ପୁଣି ଦିଲ୍ଲୀ ଡେପୁଟେଶନରେ ଯିବେ। ସେ ଏବେ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେହିପରି କେନ୍ଦ୍ରୀୟ ଡେପୁଟେଶନରେ ଥିବା ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଚନ୍ଦ୍ରଶେଖର କୁମାରଙ୍କୁ ଜିଏସ୍‌ଟି କାଉନ୍‌ସିଲର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ଏବେ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବିଭାଗ ବ୍ୟାପାର ଅତିରିକ୍ତ ସଚିବ ଅଛନ୍ତି।

Share