ୟୁକ୍ରେନ୍‌ ଯୁଦ୍ଧ ଆମେରିକା ମହତ୍ତ୍ୱାକାଂକ୍ଷାର ଫଳ: ଲାଭ୍ରୋଭ୍‌

ମସ୍କୋ, ୨୦ା୪: ବିଶ୍ୱକୁ ଶାସନ କରିବା ଏବଂ ନିଜ ଅଧୀନରେ ରଖିବାକୁ ଆମେରିକା ଓ ପାଶ୍ଚାତ୍ୟ ଦେଶର ମହତ୍ତ୍ୱାକାଂକ୍ଷା ହିଁ ୟୁକ୍ରେନ୍‌ ଯୁଦ୍ଧର ମୂଳ କାରଣ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ ଏକ ସାକ୍ଷାତକାରରେ କହିଛନ୍ତି। ସାମ୍ପ୍ରତିକ ଘଟଣାବଳୀ ପଛରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ରହିଛନ୍ତି। ସେମାନେ ବିଶ୍ୱକୁ ଜଣାଇବାକୁ ଚାହାନ୍ତି ଯେ କ୍ଷମତା କେନ୍ଦ୍ର ବହୁରାଷ୍ଟ୍ରକୈନ୍ଦ୍ରିକ ନ ହୋଇ ଗୋଟିଏ ଦେଶ ହାତରେ ରହୁ। ତେଣୁ ସେମାନେ ସୀମାରେ ୟୁକ୍ରେନ୍‌କୁ ଆମ ବିରୋଧରେ ଛିଡ଼ା କରାଇଲେ। ଏଥିପାଇଁ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇଲେ ବୋଲି ଲାଭ୍ରୋଭ୍‌ କହିଛନ୍ତି। ଏହାବାଦ ସୋଭିଏଟ୍‌ ସଂଘ ଅଲଗା ହେବା ପରେ ଅଧିକାଂଶ ଦେଶ ରୁଷିଆକୁ ଦେଇଥିବା କଥାର ଉଲ୍ଲଂଘନ କରି ନାଟୋ ଆଡ଼କୁ ଢଳିବା ମଧ୍ୟ ଯୁଦ୍ଧର ଅନ୍ୟତମ ପ୍ରମୁଖ କାରଣ। ଏହା ଏକ ପ୍ରତିରକ୍ଷା ମେଣ୍ଟ ଏବଂ ରୁଷିଆର ନିରାପତ୍ତା ପ୍ରତି କୌଣସି ବିପଦ ନୁହେଁ କହିବା ଆଳରେ ସମସ୍ୟା ସୃଷ୍ଟି କରିଚାଲିଥିବା ଲାଭ୍ରୋଭ୍‌ ଅଭିଯୋଗ ଆଣିଛନ୍ତି। ସେହିପରି ଆମେରିକା ଓ ପାଶ୍ଚାତ୍ୟ ଦେଶ ମସ୍କୋର ମିଲିଟାରୀ ଅପରେଶନକୁ ଅଧିକ ଦିନ ଟାଣିବା ପାଇଁ ଉଦ୍ୟମ କରୁଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେରଗି ଶୋଇଗୁ କହିଛନ୍ତି।

Share