Categories: ଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ତାରିଖ ଘୋଷିତ

ଭୁବନେଶ୍ୱର, ୨୨।୫(କ୍ରୀଡ଼ା ପ୍ରତିନିଧି)-
ଆଗାମୀ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନ ତାରିଖକୁ ଫିଫା କାଉନ୍‌ସିଲ ଅନୁମୋଦନ କରିଛି। ଫଳରେ ୟୁଥ ବିଶ୍ୱକପ୍‌ ଭାବେ ପରିଚିତ ହେଉଥିବା ଏହି ପ୍ରତିଯୋଗିତା ୨୦୨୨ ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ହେବା ନିଶ୍ଚିତ ହୋଇଛି। ଭାରତ ଦ୍ୱିତୀୟଥର ପାଇଁ ଏପରି ଏକ ବିଶ୍ୱସ୍ତରୀୟ ଫିଫା ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ୨୦୧୭ରେ ଫିଫା ୧୭ ବର୍ଷରୁ କମ୍‌ (ପୁରୁଷ) ବିଶ୍ୱକପ୍‌ ଭାରତ ଆୟୋଜନ କରିଥିଲା। ଫିଫା ଇତିହାସରେ ଏହାକୁ ସବୁଠାରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ। ୨୦୨୨ରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତରେ ଆୟୋଜିତ ହେବ। ପ୍ରକାଶଯୋଗ୍ୟ ଯେ, ୨୦୨୦ରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଆୟୋଜନ ପାଇଁ ଭାରତ ଅଧିକାର ପାଇଥିଲା। ମାତ୍ର କରୋନା ସଂକ୍ରମଣ ବଢ଼ିବାରୁ ଏହାକୁ ୨୦୨୧କୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏହା ସମ୍ଭବ ହୋଇ ନ ଥିଲା। ତେଣୁ ୨୦୨୨ରେ ଏହାକୁ ଆୟୋଜନ ପାଇଁ ଭାରତକୁ ଅଧିକାର ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତା ଭାରତର ୫ ଭେନ୍ୟୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କୋଲକାତାର ସଲ୍ଟଲେକ୍‌ ଷ୍ଟାଡିୟମ, ଗୁଆହାଟୀର ଇନ୍ଦିରା ଗାନ୍ଧୀ ଆଥ୍‌ଲେଟିକ୍‌ ଷ୍ଟାଡିୟମ, ଅହମଦାବାଦର ଏକ୍କା ଆରେନା ଓ ନଭି ମୁମ୍ବାଇର ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ଆୟୋଜନ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା।

Share