୨୨ ବର୍ଷ ତଳର କଷ୍ଟ ପ୍ରତ୍ୟେକ ଦିନ ଭୋଗିଛି

ଭୁବନେଶ୍ୱର,୨୨।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ପୋଲିସ ଦିର୍ଘ ୨୨ ବର୍ଷ ପରେ ସୋମବାର ଧରିବାରେ ସଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଜନା ଏକ ଖବରତାଦା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପରି କି ଘଟଣା ପରଠାରୁ ୨୨ ବର୍ଷର କଷ୍ଟ ବଖାଣିଛନ୍ତି ଅଞ୍ଜନା। ପ୍ରତ୍ୟେକ ଦିନ ମରି ମରି ବଞ୍ଚିଛି। ପାଟି ବନ୍ଦ କରିବାକୁ ଧମକ ପାଇଛି। ରହୁଥିବା ଘରେ ବାରମ୍ବାର ପଥର ମାଡ଼ ହେବାରୁ ଘର ଛାଡିବାକୁ ପଡିଛି। ପଥର ମାଡ଼ ଘଟଣାରେ ସୁଶ୍ରୀ କାନୁନଗୋ ମହାନ୍ତି ନାମକ ଜଣେ ମହିଳାଙ୍କ ନାଁ ନେଇଛନ୍ତି। ସୁଶ୍ରୀ ଜଣେ କଂଗ୍ରେସ କର୍ମୀ। ତାଙ୍କ ସ୍ବାମୀ ସାମରିକ ବିଭାଗର କର୍ମଚାରୀ। ସୁଶ୍ରୀଙ୍କ ପ୍ରରୋଚନାରେ ତାଙ୍କ ସ୍ବାମୀ ଯବାନ ଲଗାଇ ଘର ଉପରକୁ ପଥର ମାଡ଼ କରୁଥିବା ଅଞ୍ଜନା ଅଭିଯୋଗ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଧରାପଡିବା ପରେ ସେ କେତେ ଆଶ୍ୱସ୍ତ ଖବରତାଦାଙ୍କ ପ୍ରଶ୍ନର ଉତ୍ତରରେ ଅଞ୍ଜନା, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ଅମଳରେ ମୁଖ୍ୟ ଅଭିଯୁକ୍ତ ବିବନ ଧରାପଡ଼ିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି। ସୂଚନା ଯୋଗ୍ୟ, ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପୋଲିସ ପାଇଁ ଥିଲା ଏକ ବଡ଼ ଚ୍ୟାଲେଞ୍ଜ। ନାଁ ବଦଳାଇ ପୁନେରେ ରହୁଥିବା ବିବନଙ୍କୁ ଧରିବାକୁ ୩ ମାସ ପୂର୍ବରୁ ଜାଲ ବିଛାଇଥିଲା କମିଶନରେଟ ପୋଲିସ। ଏନେଇ ପୋଲିସ କମିଶନର ଏବଂ କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍‌ ଗଠନ ହୋଇଥିଲା।

Share