ବିପଦ ସାଜିଛି ଭୂତଳ ପୋଲ

ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି ରାସ୍ତା ରେଳୱେ ଭୂତଳ ପୋଲ ଯାତ୍ରୀଙ୍କ ପାଇଁ ବିପଦ ସଙ୍କୁଳ ହୋଇପଡିଛି। ଶିଉଳି ଯୋଗୁ ଶନିବାର ଖସି ପଡି ବସ୍ତିର ମହେଶ କର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲ ରାସ୍ତା ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋଇସିଂହା ବସ୍ତି ଫାଟକକୁ ବନ୍ଦ କରି ଭୂତଳ ପୋଲ କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ପୋଲ ଦେଇ ଲୋଇସିଂହାବାସୀ ଏବଂ ଆଖପାଖ ଗ୍ରାମର ଲୋକେ ଦେଇ ନିୟମିତ ଯାତାୟାତ କରୁଛନ୍ତି। ପୋଲରୁ ଅହରହ ପାଣି ଝରି ସେଠାରେ ଶିଉଳି ହେଉଛି। ରେଳୱେ ତରଫରୁ ଏହାର ଉଚିତ ରକ୍ଷଣାବେକ୍ଷଣ ଓ ପରିଚାଳନା କରାଯାଉନାହିଁ। ଜଳ ନିଷ୍କାସନ ଦିନରେ ମଧ୍ୟ ସଠିକ ପରିଚାଳନା କରାଯାଉ ନ ଥିବାରୁ ବହୁ ସମୟରେ ପୋଲରେ ଆଣ୍ଠୁଏ ପାଣି ଜମି ରହିଥାଏ। ନୂଆପଡା ରାସ୍ତା ଫାଟକ ଇଣ୍ଟରଲକ ସିଷ୍ଟମ ବ୍ୟବସ୍ତା ହୋଇଥିବାରୁ ଟ୍ରେନର ଅଫ ଏବଂ ଡାଉନ ଯାତାୟତ ବେଳେ ୧୫ ମିନିଟ ପୂର୍ବରୁ ଫାଟକ ପଡି ଯାଉଛି। ବସ୍‌ଷ୍ଟାଣ୍ଡ, ବ୍ଲକ ଅଫିସ, ଡାକ୍ତରଖାନା ଏପରିକି ଦୋକାନ ବଜାର କରିବା ପାଇଁ ଲୋଇସିଂହାବାସୀ ଯାତାୟତ ପାଇଁ ଭୂତଳ ପୋଲ ରାସ୍ତା ହିଁ ଏକମାତ୍ର ବିକଳ୍ପ। ରାତି ସମୟରେ ମଧ୍ୟ ବିଦ୍ୟୁତ୍‌ ଆଲୋକ ଜଳୁନାହିଁ। ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁ ଲୋକେ ହଟହଟା ହେବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି।