କାଶୀନଗର,୨।୬: ଗଜପତି ଜିଲାର ଦ୍ୱିତୀୟ ସହର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ୪୭ ବର୍ଷ ପୂର୍ତ୍ତି ହେଲାଣି। ତଥାପି ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚତ୍ତ। ଏଠାରେ ନିଜସ୍ବ ଏନ୍ଏସି କାର୍ଯ୍ୟାଳୟ ନାହିଁ। ଟାଉନ ହଲ୍, ପାର୍କ ଓ ବସ୍ଷ୍ଟାଣ୍ଡ ନାହିଁ। ଏନ୍ଏସିର ପରିଚାଳନା ପରିଷଦ ଗଠିତ ହୋଇନଥିଲା। ଦୀର୍ଘ ତିନିବର୍ଷ ଧରି ସରକାରୀ କର୍ମଚାରୀଙ୍କ ଶାସନରେ ପରିଚାଳିତ ହେଉଥିଲା। ପ୍ରଶାସନର ପରିଚାଳନା ବେଳେ ବ୍ଲକ ରୋଡ କାର୍ଯ୍ୟ ଅଧାପନ୍ତରିଆ ରହି ରାସ୍ତାରେ ପାଣି ଜମି ଯାଉଛି। ପଟେଲ ରୋଡ୍ରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଗୃହ ଅଧା ନିର୍ମାଣ ହୋଇ ବିସ୍ଥାପିତ ଦୋକାନୀଙ୍କୁ ବଣ୍ଟନ ହୋଇପାରିନାହିଁ। ଇ-ଲାଇବ୍ରେରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ। ସୌନ୍ଦର୍ଯ୍ୟକରଣ କରିବା ପାଇଁ ଯେଉଁ ମୋ କାଶୀନଗର ଫଳକ କରାଯାଇଛି ତାହା ମଧ୍ୟ ଅସୌନ୍ଦର୍ଯ୍ୟରେ ରହିଛି। ବର୍ଷାଦିନ ଆଗମନ କିନ୍ତୁ ନର୍ଦ୍ଦମା କାମ ହୋଇପାରିନାହିଁ। ମେଡିକାଲ ରୋଡ କଡ଼ରେ ହେଉଥିବା ପରିବା ମାର୍କେଟ ଘର ପୁନାଦି ପକାଇ କାମ ଅଟକିଛି। ନୂତନ ପରିଷଦ ଗଠନ ହେଲାଣି କିନ୍ତୁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ତପ୍ତରତା ଦେଖାଯାଉନି। ପରିଷଦ, ଜିଲାପାଳ ଦୃଷ୍ଟି ଦେଲେ ଜନସାଧାରଣ ଉପକୃତ ହୋଇପାରିବେ।