ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର,୩୦ା୬(ଅନିଲଦାସ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ୨ଜଣ ଫରେଷ୍ଟ ଗାର୍ଡ ଶିକାରୀଙ୍କ ଗୁଳିରେ ନିହତ ଘଟଣାକୁ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି। ଶିମିଳାପାଳ ଏବଂ ଫରେଷ୍ଟ ଗାର୍ଡଙ୍କ ସୁରକ୍ଷାକୁ କଡାକଡି କରିବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ବାଘ ଓ ସେମାନଙ୍କ ସୁରକ୍ଷାରେ ନିୟୋଜିତ କର୍ମଚାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଦୃଢ ପଦକ୍ଷେପ ନେବା ଆବଶ୍ୟକ। ଫରେଷ୍ଟ ଗାର୍ଡଙ୍କ ହତ୍ୟା ଘଟଣା ପରେ ମନ୍ତ୍ରଣାଳୟର ଜଙ୍ଗଲ ଡାଇରେକ୍ଟର ଜେନେରାଲ ତଥା ସ୍ବତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରିଥିଲେ। ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଟିମ ଦାଖଲ କରିଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଭଳି ଘଟଣା ଯେପରି ପୁନରାବୃତ୍ତି ନ ହେବ ସେନେଇ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

Share