୫ ପ୍ରଶ୍ନ ନେଇ ବିଜେଡିକୁ ଘେରିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର):ଓଡ଼ିଶାରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା, ଚିଟ୍‌ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ, ଓଡ଼ିଶାକୁ ଦାଦନମୁକ୍ତ ରାଜ୍ୟ କରାଇବା, ମାଇନିଂ ସ୍କାମ୍‌ରେ ଦୋଷୀଙ୍କୁ ଦଣ୍ଡିତ କରିବା ଓ ଆଦିବାସୀ ବିରୋଧୀ ମନୋଭାବକୁ ନେଇ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ୫ଟି ପ୍ରଶ୍ନ ପଚାରିଛନ୍ତିି। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ କୁଲସ୍ତେ କହିଛନ୍ତି, ବେବିନା, ପିହୁ, ପରୀ, ମାଧବୀଲତା ଓ ସସ୍ମିତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ତଦନ୍ତରେ ଏ ପର୍ଯ୍ୟନ୍ତ କେହି ଦୋଷୀ ସାବ୍ୟସ୍ତ ହେଲେ ନାହିଁ। ଯେଉଁ ନେତାମାନଙ୍କ ନାମରେ ଏହି ନାରୀ ନିର୍ଯାତନା ଅଭିଯୋଗ ରହିଛି, ସେମାନଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ପ୍ରଦାନ କରାଯାଇଛି। ନାରୀ ନିର୍ଯାତନାକାରୀଙ୍କୁ କେବେ ଦଣ୍ଡ ଦିଆଯିବ, ସେକଥା ନବୀନ ଉତ୍ତର ଦିଅନ୍ତୁ। ସେହିପରି ୩୪୨ଟି ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା ୨ କୋଟି ୬୦ ଲକ୍ଷ ଓଡ଼ିଆଙ୍କଠାରୁ ୪୫୦୦ କୋଟି ଟଙ୍କା ଚିଟ୍‌ଫଣ୍ଡ ଦ୍ୱାରା ଲୁଟ୍‌ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଜମାକାରୀମାନେ ଟଙ୍କାଟିଏ ପାଇଲେ ନାହିଁ। ବରଂ ତଦନ୍ତ କମିଶନ ନାମରେ ଓଡ଼ିଆଙ୍କୁ ଭୁଆଁ ବୁଲାଗଲା। ଚିଟ୍‌ଫଣ୍ଡ ଜମାକାରୀଙ୍କୁ କେବେ ଅର୍ଥ ମିଳିବ, ସେନେଇ ନବୀନ ସ୍ପଷ୍ଟୀକରଣ ଦିଅନ୍ତୁ। ରାଜ୍ୟରେ ଦେଢ଼କୋଟି ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ ଖଟୁଥିବା ବେଳେ ଓଡ଼ିଶାକୁ ଏବେ ଦାଦନ ରାଜ୍ୟ ବୋଲି କୁହାଯାଉଛି। ଦେଢକୋଟି ଦାଦନ ଶ୍ରମିକରେ ନବୀନ କେମିତି ନମ୍ବର ୱାନ୍‌ ହେଲେ ତା’ର ଉତ୍ତର ରଖନ୍ତୁ। ଓଡ଼ିଶାରେ ମାଇନିଂ ସ୍କାମ୍‌ କୋଟି କୋଟି ଟଙ୍କାର ହୋଇଥିବା ବେଳେ ଶାହା କମିଶନ ତୁରନ୍ତ ଦୋଷୀଙ୍କୁ ଦଣ୍ଡିତ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମାଇନିଂ ସ୍କାମ୍‌ରେ ଜଡ଼ିତ ମାଫିଆଙ୍କୁ ଗିରଫ କରାଗଲା ନାହିଁ କିମ୍ବା ସେମାନଙ୍କଠାରୁ ଅର୍ଥ ଆଦାୟ କରାଗଲା ନାହିଁ। ଓଡ଼ିଶାରେ ଅର୍ଦ୍ଧାଧିକ ଲୋକସଂଖ୍ୟା ଆଦିବାସୀ ହୋଇଥିବା ବେଳେ ବିଜେଡି ସରକାର ଆଦିବାସୀ ମାରଣ ନୀତି ଗ୍ରହଣ କରିଛି। ଆଦିବାସୀମାନଙ୍କ ଜମିକୁ ମାଫିଆମାନଙ୍କୁ ବିକ୍ରିକରିବା ପାଇଁ ସରକାର ଆଇନ ଆଣିଥିଲେ। କିନ୍ତୁ ବିରୋଧ ଫଳରେ ସେଥିରୁ ସାମୟିକ ଭାବରେ ଓହରିଯାଇଛନ୍ତି। ଯାଜପୁର କଳିଙ୍ଗନଗରଠାରେ ଜମି ଅଧିଗ୍ରହଣକୁ ନେଇ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଆଦିବାସୀଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ଆଦିବାସୀମାରଣ ନୀତିରୁ ସରକାର କେବେ ଓହରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି କୁଲସ୍ତେ କହିଛନ୍ତି।