ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦିଆଯାଇଥିବା ବିବୃତ୍ତି ଏବଂ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ବୟାନକୁ ନେଇ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଉପରେ ବର୍ଷିଛନ୍ତି। ବୁଧବାର କର୍ନାଟକରେ ନିର୍ବାଚନୀ ପ୍ରଚାର ସମୟରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ନୀଲକଣ୍ଠଙ୍କ ପରି ବିରୋଧୀଙ୍କ ଅତ୍ୟାଚାରକୁ ପିଇ ଦେଶକୁ ବିକାଶ କରିଛନ୍ତି।
ସିନ୍ଧିଆ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ସେମାନେ ସର୍ପ ବୋଲି କହୁଛନ୍ତି। ସେମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ସର୍ପ ଦେବତା ଭଗବାନ ଶିବଙ୍କ ବେକରେ ବସିଛନ୍ତି। ଯେପରି ଭଗବାନ ଶିବ ବିଷ ପିଇ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ, ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ବିରୋଧୀଙ୍କ ଅପବ୍ୟବହାରକୁ ପିଇ ଦେଶକୁ ପ୍ରଗତି ପଥରେ ନେଇଛନ୍ତି।
ସୂଚନାଯୋଗ୍ୟ, କର୍ନାଟକରେ ଏକ ନିର୍ବାଚନ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷାକ୍ତ ସାପ ବୋଲି କହିଥିଲେ। ତେବେ ସେ ପ୍ରଧାନମନ୍ତ୍ରୀଙ୍କୁ ସାପ ବୋଲି କହି ନାହାଁନ୍ତି ଖାର୍ଗେ ସଫେଇ ଦେଇଥିଲେ।