Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ଲେଖିଲେ, ‘ବେଢ଼ି ପଡାଓ ବଚ୍ଚାଓ୍ବ’

ଭୋପାଳ,୨୦ା୬: କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର ହିନ୍ଦୀରେ ‘ବେଟି ପଢ଼ାଓ, ବେଟି ବଚାଓ’ ସ୍ଲୋଗାନ ଲେଖିବା ଜାଣିନାହାନ୍ତି। ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଏହି ସ୍ଲୋଗାନକୁ ଭୁଲ୍‌ ଭାବେ ଉଲ୍ଲେଖ କରିଛନ୍ତି। ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ବିରୋଧୀ କଂଗ୍ରେସ କେନ୍ଦ୍ରମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି।

ଧର୍‌ସ୍ଥିତ ବ୍ରହ୍ମା କୁଣ୍ଡିର ଏକ ସରକାରୀ ସ୍କୁଲରେ ମଙ୍ଗଳବାର ‘ସ୍କୁଲ ଚଲୋ ଅଭିଯାନ’ ଅଧୀନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଧର୍‌ ଲୋକ ସଭାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ସେ ହ୍ବାଇଟ୍‌ ବୋର୍ଡରେ ‘ବେଟି ପଢ଼ାଓ, ବେଟି ବଚାଓ’ ଲେଖିବାକୁ ଚାହୁଁଥିଲେ। କିନ୍ତୁ ସେ ଭୁଲ୍‌ରେ ଲେଖିଥିଲେ, ବେଢ଼ି ପଡାଓ ବଚ୍ଚାଓ୍ବ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ନେତା କେ.କେ. ମିଶ୍ରା କହିଛନ୍ତି, ସାମ୍ବିଧାନିକ ପଦବୀରେ ଥିବା ଏବଂ ବଡ଼ ବିଭାଗ ଦାୟିତ୍ୱରେ ଥିବା ଲୋକେ ନିଜ ମାତୃଭାଷାରେ ଲେଖି ନ ପାରିବା ଗଣତନ୍ତ୍ରର ଦୁର୍ଭାଗ୍ୟ। ଏଭଳି ବ୍ୟକ୍ତି ନିଜ ମନ୍ତ୍ରଣାଳୟ କିପରି ଚଳାଇବେ?

Share