‘ୟାସ୍‌’ ମୁକାବିଲା ସମୀକ୍ଷା କଲେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋଏଲ ଏବଂ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ା ଓଡ଼ିଶାରେ ‘ୟାସ୍‌’ ର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ ଓ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ଏବଂ ଜରୁରିକାଳୀନ ପରିସ୍ଥିତିକୁ ମୁକାବିଲା ଲାଗି ରାଜ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପକ୍ଷରୁ ୫୨ ଟିମ୍‌ ମୁତୟନ କରାଯାଇଛି ବୋଲି ଉଚ୍ଚସ୍ତରୀୟ ବୈଠକ ପରେ ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ା
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥା ସମୂହ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ସରକାରଙ୍କ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା(ଏନ୍‌ଡିଏମ୍‌ଏ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନ୍‌ଡିଆର୍‌ଏଫ୍‌), ଭାରତୀୟ ପାଣିପାଗ ବିଭାଗ, ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତୀୟ ତଟରକ୍ଷା ବାହିନୀ, ଭାରତୀୟ ନୌସେନା, ପେଟ୍ରୋଲିୟମ ଏବଂ ଗ୍ୟାସ୍‌ ମନ୍ତ୍ରଣାଳୟ, ବ୍ୟବସାୟ ସଂଘର ପ୍ରତିନିଧି ଯଥା ଏଫ୍‌ସିସିଆଇ ଏବଂ ଆସୋଚାମ୍‌ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଏନେଇ ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି, ଜରୁରିକାଳୀନ ପରିସ୍ଥିତିକୁ ମୁକାବିଲା ଲାଗି ଓଡ଼ିଶାରେ ୫୨ ଟିମ୍‌ ସମେତ ୫ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୯୯ଟି ଟିମ୍‌ ଏନ୍‌ଡିଆର୍‌ଏଫ୍‌ ଦ୍ୱାରା ମୁତୟନ କରାଯାଇଛି। ୟାସ୍‌କୁ ଦୃଷ୍ଟିରେ ରଖି ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ମୟୂରଭଞ୍ଜ ଏବଂ ଯାଜପୁରରେ ଏହି ଟିମ୍‌ଗୁଡ଼ିକୁ ନିୟୋଜିତ କରାଯାଇଛି।

Share