କେନ୍ଦୁଝର,୨୭ା୭(ସ୍ବ.ପ୍ର.): ଗୁରୁବାର କେନ୍ଦୁଝର ଅଭିମୁଖେ ୩ ଦିନିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଏହି ଅବସରରେ କେନ୍ଦୁଝର ଜିଲା ଭାଜପା ପକ୍ଷରୁ ଜୋର୍ଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ଦିତୀୟ ଦିନରେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ରହିଛି। ସେହିପରି ତୃତୀୟ ଦିନରେ ଘସିପୁରା ଏବଂ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଚମ୍ପୁଆଠାରୁ ଆରମ୍ଭ କରି ଆନନ୍ଦପୁର ପର୍ଯ୍ୟନ୍ତ ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦୁଝର ଲୋକ ସଭା କ୍ଷେତ୍ରର ଦାୟିତ୍ୱରେ ଥିବା ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସ୍ବାଗତ ପାଇଁ ଜିଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଭିନ୍ନ ଯୋଜନା ପ୍ରସ୍ତୁତି କରୁଛି ଜିଲା ଭାଜପା। ଏହାର ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସମସ୍ତ ନିର୍ବାଚନ ମଣ୍ଡଳୀ ବୁଲି ବୁଲି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରୁଥିବା ବେଳେ କେନ୍ଦୁଝର ଲୋକ ସଭା କ୍ଷେତ୍ରର ସଂଯୋଜକ ଶୁକଦେବ ମହାନ୍ତ କେନ୍ଦ୍ରମନ୍ତ୍ରୀଙ୍କ ଆଗମନ ପାଇଁ ହେଉଥିବା ବ୍ୟାପକ ପ୍ରସ୍ତୁତିର ତଦାରଖ କରୁଛନ୍ତି।