ୟେମେନ ରାଜଧାନୀରେ ବୋମା ମାଡ କଲା ଆମେରିକା, ହୁତି ବିଦ୍ରୋହୀଙ୍କୁ ଚେତାବନୀ

ଓ୍ବାଶିଂଟନ,୧୩।୧: ଶନିବାର ସକାଳେ ୟେମେନର ହୁତି ବିଦ୍ରୋହୀଙ୍କ ଶିବିର ଉପରକୁ ଆମେରିକା ସୈନ୍ୟବାହିନୀ ପୁଣି ଥରେ ବୋମା ମାଡ଼ କରିଛି। ଏହାପୂର୍ବରୁ ଶୁକ୍ରବାର, ବ୍ରିଟିଶ ସେନା ସହିତ ଆମେରିକା ୟେମେନର ଅନେକ ସ୍ଥାନରେ ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ବ୍ୟାପକ ଆକ୍ରମଣ କରିଥିଲା। ଶନିବାର ଏହି ଆକ୍ରମଣ ରାଜଧାନୀ ସାନାର ହୁତି ବିଦ୍ରୋହୀ ଶିବିରକୁ ଟାର୍ଗେଟ କରିଛି।
ଶୁକ୍ରବାର ଆମେରିକା ଏବଂ ବ୍ରିଟେନର ମିଳିତ ଆକ୍ରମଣରେ ୨୮ ଟି ସ୍ଥାନରେ ହୁତି ବିଦ୍ରୋହୀଙ୍କ ୬୦ ରୁ ଅଧିକ ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଆହୁରି ମଧ୍ୟ ଆମେରିକା ଏହାର ବଣିକ ଜାହାଜଗୁଡ଼ିକୁ କିଛି ଦିନ ପାଇଁ ଲୋହିତ ସାଗରଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହୁତିଙ୍କ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନିଶ୍ଚିତ କରିବାବେଳେ କହିଥିଲେ ଯେ ଯଦି ହୁତି ବିଦ୍ରୋହୀମାନେ ବାଣିଜି୍ୟକ ଜାହାଜକୁ ଟାର୍ଗେଟ ନକରନ୍ତି ତେବେ ସେମାନଙ୍କୁ ପୁଣି ଟାର୍ଗେଟ କରାଯାଇପାରେ। ଆମେରିକାର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବଢିବାର ଭୟ ରହିଛି, ଯାହା ଇସ୍ରାଏଲ-ହମାସ ଯୁଦ୍ଧ କାରଣରୁ ସଂଘର୍ଷ କରିଆସୁଛି।
ଏଥି ସହିତ ଆମେରିକାର ଆକ୍ରମଣ ପରେ ହୁତି ବିଦ୍ରୋହୀମାନେ ମଧ୍ୟ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛନ୍ତି। ଏହି ଆକ୍ରମଣ ପାଇଁ ଆମେରିକା ଦଣ୍ଡିତ ହେବ ବୋଲି ହୁତି ସେନା ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ ୟାହୟା ସାରୀ ଏକ ବିବୃତ୍ତି ଜାରି କରିଛନ୍ତି। ଆମେରିକା କହିଛି ଯେ ଏୟାର ଷ୍ଟ୍ରାଇକରେ ହୁତି ବିଦ୍ରୋହୀଙ୍କ ସେହି ଶିବିରକୁ ଟାର୍ଗେଟ କରାଯାଇଥିଲା ଯେଉଁଠାରେ ଅଧିକ ଜନସଂଖ୍ୟା ନଥିଲା ଏବଂ ବିଶେଷ କରି ହୁତିଙ୍କ ଅସ୍ତ୍ରଶସ୍ତ୍ର, ରାଡାର ଏବଂ ଗୁରୁତ୍ୱପୂର୍ଣ୍ଣ ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ହେବାର କ କୌଣସି ସମ୍ଭାବନା ନାହିଁ।

Share