ଜମ୍ମୁ-କଶ୍ମୀର ମାମଲାରେ ଭାରତକୁ ସମର୍ଥନ କଲା ଆମେରିକା, ଚିଡିଗଲା ପାକିସ୍ତାନ

ଇସଲାମାବାଦ,୧୨।୨: ଆମେରିକାର ଜୋ ବାଇଡେନ ପ୍ରଶାସନ କଶ୍ମୀର ଭାରତର ବୋଲି କହିବା ପରେ ପାକିସ୍ତାନ ରାଗି ଯାଇ ଏହାକୁ ତୀବ୍ର ବିରୋଧ କରିଛି। ଆମେରିକାର ବୈଦେଶିକ ବିଭାଗର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟୁରୋ ପକ୍ଷରୁ ଏକ ଟୁଇଟ କରାଯାଇଛି। ଟୁଇଟ୍‌ରେ କୁହାଯାଇଛି ଯେ ଭାରତର ଜମ୍ମୁ କଶ୍ମୀରରେ ୪ଜି ଇଣ୍ଟରନେଟ ସୁବିଧା ପୁନରୁଦ୍ଧାରକୁ ଆମେ ସ୍ବାଗତ କରୁଛୁ। ଜମ୍ମୁ କଶ୍ମୀରରେ ୪ଜି ଇଣ୍ଟରନେଟ ସେବାର ପୁନରୁଦ୍ଧାର ସମ୍ପର୍କରେ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଏହି ଟୁଇଟ୍‌ ପାକିସ୍ତାନକୁ ଗଭୀର ନିରାଶ କରିଛି। ଇସଲାମାବାଦରେ ପାକିସ୍ତାନର ବୈଦେଶିକ ବ୍ୟାପାର ବିଭାଗ କହିଛି, ଜାତିସଂଘ ସୁରକ୍ଷା ପରିଷଦର ଅନେକ ସଂକଳ୍ପରେ ଏବଂ ଜମ୍ମୁ କଶ୍ମୀରର ସ୍ଥିତି ବିବାଦୀୟ ହୋଇପଡ଼ିଛି, ଏହି ପ୍ରସଙ୍ଗରେ ଆଲୋଚନା କରିବା ଅସଙ୍ଗତ ଅଟେ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେଶି ଏହି ବିବାଦରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ବାଇଡେନ ପ୍ରଶାସନ କଶ୍ମୀରରେ ଥିବା ବାସ୍ତବତାକୁ ଅଣଦେଖା କରିବା ଉଚିତ ନୁହେଁ। କଶ୍ମୀର ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରାଯାଉ ବୋଲି ସେ ବିଶ୍ୱକୁ ନିବେଦନ କରିଛନ୍ତି। କ୍ୟୁରେଶି କହିଛନ୍ତି ଯେ, ବାଇଡେନ ପ୍ରଶାସନ ଏହି ସୁବିଧା ବିଷୟରେ କଥାବାର୍ତ୍ତା କରୁଛି, କିନ୍ତୁ କଶ୍ମୀରରେ ଥିବା ବାସ୍ତବତାକୁ ଅଣଦେଖା କରୁଛି। ଅନ୍ୟପକ୍ଷରେ, ଏହି ବିବାଦ ଉପରେ ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଜମ୍ମୁ କଶ୍ମୀର ସହ ଜଡିତ ନୀତିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

Share