ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଉଡ଼ାଣ ଉପରେ ରୋକ ଲଗାଇଲା ଆମେରିକା

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଙ୍କଟ ସମୟରେ ବିଦେଶରେ ଅଟକିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ବିମାନ ଉଡ଼ାଣ କରାଯାଉଛି। ତେବେ ଆମେରିକା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଉଡ଼ାଣ ଉପରେ ରୋକ ଲଗାଇଛି। ଭାରତ ବିମାନ ଚଳାଚଳ ଚୁକ୍ତିର ଉଲ୍ଲଂଘନ କରିଥିବା ଅଭିଯୋଗ ଦର୍ଶାଇ ଆମେରିକା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଭାରତ ଅନୁଚିତ ଏବଂ ଭେଦଭାବ ନୀତି ଆପଣେଉଥିବା ଆମେରିକା କହିଛି। କରୋନା ସଂକ୍ରମଣ ଯୋଗୁ ଭାରତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିନାହିଁ। ମାତ୍ର ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଉଡ଼ାଣ କରାଯାଉଛି। ଏହା ସହିତ ଭାରତ ଏୟାର ଇଣ୍ଡିଆର ଟିକଟ ମଧ୍ୟ ବିକ୍ରି କରୁଛି। ଅପରପକ୍ଷରେ ଆମେରିକା ଏୟାର ଲାଇନ୍ସ୍‌ ଉଡ଼ାଣକୁ ଭାରତ ବନ୍ଦ କରିଛି। ଏହା ଦ୍ୱାରା ଆମେରିକା ଏୟାର ଲାଇନ୍ସ୍‌ର କ୍ଷତି ହେଉଛି। ଆମେରିକା ଏୟାର ଲାଇନ୍ସ୍‌ ବିମାନ ଉଡ଼ାଣ ଉପରୁ ଭାରତ ରୋକ ହଟାଇଲା ପରେ ପୁଣି ଏନେଇ ବିଚାର କରାଯିବ ବୋଲି ଆମେରିକା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

Share