ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକା, ସିରିଆ-ଇରାକର ୮୫ ସ୍ଥାନରେ ବୋମାମାଡ, ୬ ଆତଙ୍କବାଦୀ ମୃତ

ବାଗଦାଦ,୩।୨: ଆମେରିକାର ସେନା ଶୁକ୍ରବାର ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣର ଜବାବରେ ସିରିଆ ଏବଂ ଇରାକରେ ଇରାନ ସମର୍ଥିତ ମିଲିସିଆଙ୍କ ଶିବିର ଉପରେ ବୋମା ପକାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକରେ ୬ଜଣ ମିଲିସିଆ ଯୋଦ୍ଧାଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ତିନିଜଣ ଅଣ-ସିରିଆ ବାସିନ୍ଦା ଥିଲେ। ଇରାକର ରିଭୋଲ୍ୟୁସନାରୀ ଗାର୍ଡ ଏବଂ ସେମାନଙ୍କ ସମର୍ଥିତ ମିଲିସିଆ ସହ ଜଡିତ ଇରାକ ଏବଂ ସିରିଆର ୮୫ ରୁ ଅଧିକ ଟାର୍ଗେଟ ବିରୋଧରେ ଆମେରିକା ଶୁକ୍ରବାର ପ୍ରତିଶୋଧ ପରାୟଣ ହୋଇଛି।

ଆମେରିକାର ସାମରିକ ବିମାନ ଆକ୍ରମଣରେ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର, ରକେଟ, ମିଶାଇଲ ଏବଂ ଡ୍ରୋନ ଷ୍ଟୋରେଜ ସୁବିଧା ତଥା ଲଜିଷ୍ଟିକ୍ସ ଏବଂ ଗୁଳି ଯୋଗାଣ ଶୃଙ୍ଖଳା ସୁବିଧାକୁୁ ଟାର୍ଗେଟ କରାଯାଇଥିବା ବିବୃତ୍ତିରେ କୁହାଯାଇଛି। ଆମେରିକାର ସେନାମାନେ ୧୨୫ରୁ ଅଧିକ ଯୁଦ୍ଧ ସାମଗ୍ରୀ ସହିତ ୮୫ ରୁ ଅଧିକ ଶିବିର ଉପରେ ଆକ୍ରମଣ କରିଥିଲେ। ଏଥି ସହିତ ସିରିଆର ସରକାରୀ ଗଣମାଧ୍ୟମ କହିଛି ଯେ ସିରିଆର ମରୁଭୂମି ଅଞ୍ଚଳରେ ଏବଂ ଇରାକ ସୀମା ନିକଟରେ ଥିବା ଟାର୍ଗେଟରେ ଆମେରିକାର ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।
ଗତ ସପ୍ତାହରେ ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣରେ ଆମେରିକାର ତିନିଜଣ ସେନାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଥିଲେ। ଏହା ପରେ ରାଷ୍ଟ୍ରପତି ଜୋ ବାଇଡେନ ଇରାନ ସମର୍ଥିତ ଗୋଷ୍ଠୀ ବିରୁଦ୍ଧରେ ପ୍ରତିଶୋଧ ନେବାକୁ କହିଥିଲେ। ନିକଟରେ ବାଇଡେନ ଏହି ପ୍ରତିଶୋଧ ଆକ୍ରମଣକୁ ଅନୁମୋଦନ କରିଥିଲେ। ଏହା ପରେ ଆମେରିକୀୟମାନେ ଶୁକ୍ରବାର ପ୍ରଥମ ଆକ୍ରମଣ ଆରମ୍ଭ କରିଥିଲେ।

Share