ମନ୍ତ୍ରୀ ଦେଲେ ବଡ଼ ସୂଚନା, ପୁଣି ସଂଶୋଧନ ହେବ ବିଶ୍ୱବିଦ୍ୟାଳୟ ଆଇନ

ଭୁବନେଶ୍ୱର,୩୦ା୮: ପୁଣି ସଂଶୋଧନ ହେବ ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ। ଏନେଇ ଶୁକ୍ରବାର ବିଧାନସଭାରେ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ୍‌ ବ୍ୟବସ୍ଥା ରହିବ। ବିଶ୍ୱବିଦ୍ୟାଳୟ ସ୍ବତନ୍ତ୍ରତା ବଜାୟ ରହିବା ସହ ନିଯୁକ୍ତି କ୍ଷମତା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଦିଆଯିବ। ଏନେଇ ବିଚାର ବିମର୍ଷ ଚାଲିଛି ବୋଲି ଆଜି ମନ୍ତ୍ରୀ ଗୃହରେ କହିଛନ୍ତି।

୨୦୨୦ରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଏହା ଭଙ୍ଗା ଯାଇଥିଲା । ସିନେଟ୍‌ରେ ୧୦୦ ଜଣ ସଦସ୍ୟ ରହୁଥିଲେ। ସେମାନେ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଉଥିଲେ। ଯାହା ସିଣ୍ଡିକେଟ୍ କାର୍ଯ୍ୟକାରୀ କରୁଥିଲା। ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ୩୬ ପଦପଦବୀ, କୃଷି-ଦକ୍ଷତା ବିକାଶ-ଉଚ୍ଚଶିକ୍ଷା ବିଭାଗର ତିନି ନିର୍ଦ୍ଦେଶକ, ଆଡ଼ଭୋକେଟ ଜେନେରାଲ ବା ତାଙ୍କ ପ୍ରତିନିଧି, ୬୦ ଅବସରପ୍ରାପ୍ତ ଶିକ୍ଷାବିତ, ୩ ବିଧାୟକ, ୪ ଛାତ୍ର ନେତା, ସମ୍ପୃକ୍ତ ବିଶ୍ଵବିଦ୍ୟାଳୟର ୧୩ ଗ୍ରାଜୁଏଟ ସିନେଟର ସଦସ୍ୟ ରହୁଥିଲେ।

ଖୁବଶୀଘ୍ର ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହେବେ। ପୂର୍ବରୁ ଅଧ୍ୟାପକ ନିଯୁକ୍ତି ପାଇଁ ବିଶ୍ବବିଦ୍ୟାଳୟ ଆଇନ ୨୦୨୦ ସଂଶୋଧନ କରାଯାଇ ଓପିଏସ୍‌ସି ଦ୍ୱାରା ନିଯୁକ୍ତି ଦିଆଯାଉଥିଲା । ଯାହା ଦ୍ବାରା ୟୁଜିସି ଗାଇଡ଼ଲାଇନ ପରିପନ୍ଥୀ ଥିଲା । ୟୁଜିସି ଗାଇଡ଼ଲାଇନ ଅନୁସାରେ ବିଶ୍ଵବିଦ୍ୟାଳୟରେ କମିଟି ଗଠନ କରି ଅଧ୍ୟାପକ ନିଯୁକ୍ତି ହେବା କଥା । କିଭଳି ଭାବେ ବିଶ୍ଵବିଦ୍ୟାଳୟ ଦ୍ବାରା ଅଧ୍ୟାପକ ନିଯୁକ୍ତି ଦିଆଯିବ। ସେଥିପାଇଁ ଆଇନ ସଂଶୋଧନ କରିବା ସହ ୟୁଜିସିକୁ ପ୍ରସ୍ତାବ ଦିଆଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି। ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୧୮୭ ଅଧ୍ୟାପକ ପଦବୀ ଖାଲି ପଡିଛି। ଏହାକୁ ପୂରଣ କରିବାକୁ ଗୃହରେ କହିଛନ୍ତି ମନ୍ତ୍ରୀ।

Share