ଧର୍ମାନ୍ତରୀକରଣ ପରେ ଉତ୍ତେଜନା

ଯୋଡା,୧୪।୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଜଜାଙ୍ଗ ପଞ୍ଚାୟତର ଭୋଳବେଡ଼ା ଗ୍ରାମରେ ଧର୍ମାନ୍ତରୀକରଣ ପରେ ଚାପା ଉତ୍ତେଜନା ଲାଗି ରହିିଛି। ଦୁଇପକ୍ଷ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଛି।
ସୂଚନା ଅନୁଯାୟୀ,ଉକ୍ତ ଗ୍ରାମରେ ଏକ ପରିବାର ପ୍ରଥମେ ଭିନ୍ନ ଧର୍ମ ଗ୍ରହଣ କରିଥିଲେ। ପରେ ସେହି ପରିବାର ଗ୍ରାମର ପ୍ରାୟ ୩୦ ପରିବାରକୁ ଧର୍ମାନ୍ତରୀକରଣ କରାଇଥିଲେ। ତେବେ ଗ୍ରାମବାସୀ ଏହାକୁ ବିରୋଧ କରି କିଛି ପରିବାରକୁ ସ୍ବଧର୍ମକୁ ଫେରାଇ ଆଣିିଥିଲେ। ଗ୍ରାମରେ ବର୍ତ୍ତମାନ ପ୍ରାୟ ୭ଟି ପରିବାର ଭିନ୍ନ ଧର୍ମଗ୍ରହଣ କରିଛନ୍ତି। ଏମାନେ ପୁନର୍ବାର ଗ୍ରାମର ଅନ୍ୟ ଲୋକଙ୍କୁ ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କରିବାକୁ ଚେଷ୍ଟା ଚଳାଇଥିବା ଗ୍ରାମବାସୀ କହିଛନ୍ତି। ଧର୍ମ ପରିବର୍ତ୍ତନ କରିଥିବା ପରିବାରର ଲୋକେ ସ୍ଥାନୀୟ ଗ୍ରାମବାସୀଙ୍କ ପୂଜାସ୍ଥଳକୁ ଅପବିତ୍ର କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସେମାନେ କୌଣସି ନିୟମ ପାଳନ କରୁ ନ ଥିବା ଓ ନଳକୂଅରୁ ପାଣି ନେଉଥିବା ସ୍ଥାନୀୟ ଅଞ୍ଚଳର ସୋରେନ ମୁଣ୍ଡା କହିଛନ୍ତି। ଏହି ପାଣି ନେବାକୁ କେନ୍ଦ୍ର କରି କିଛି ଦିନ ପୂର୍ବେ ଦୁଇପକ୍ଷଙ୍କ ମଧ୍ୟରେ ମାର୍‌ପିଟ ହୋଇଥିଲା। ଧର୍ମ ପରିବର୍ତ୍ତନ କରିଥିବା ଜଣେ ମହିଳାଙ୍କୁ ମାଡ଼ ମରାଯାଇଥିବା ନେଇ ବାମେବାରି ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗ ପରେ ପୋଲିସ ମଙ୍ଗଳବାର ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ଆପୋଷ ବୁଝାମଣା କରିଥିଲା। ଏହି ଗଣ୍ଡଗୋଳ ଧର୍ମାନ୍ତରୀକରଣକୁ ନେଇ ଘଟି ନ ଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ବରୂପ ନାୟକ କହିଛନ୍ତି। ଏହିପରି ଅନେକ ଥର ଧର୍ମ ପରିବର୍ତ୍ତନ କରିଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ସେମାନଙ୍କୁ ହଇରାଣ କରାଯାଉଛି। ଏହି ଘଟଣାର ସ୍ଥାୟୀ ସମାଧାନ ହେଉ ନ ଥିବାରୁ ଅଞ୍ଚଳରେ ଅଶାନ୍ତିର ବାତାବରଣ ଲାଗି ରହୁଛି ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି।

Share