Advertisement

ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ଅନୁଗୋଳ ଅଫିସ, ୬ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚିକିତ୍ସା ଅବହେଳାରୁ ବଅଁରପାଳ ବ୍ଲକ ତଳମୂଳ ଅଞ୍ଚଳର ସୁବାଶିଷ ଦାସଙ୍କ ସ୍ତ୍ରୀ ଶିକ୍ଷା ପଟ୍ଟନାୟକ(୧୯)ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ପରେ ଘଟଣାସ୍ଥଳରେ ଅନୁଗୋଳ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାରୁ ପରିସ୍ଥିତି ଆୟତ୍ତକୁ ଆସିଥିଲା।
ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ବୁଧବାର ଅପରାହ୍ନରେ ଶିକ୍ଷା ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କାଜୁଆଲଟିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାକୁ ରୋଗୀ ନିଜେ ଚାଲିକରି ଯାଇଥିବା ବେଳେ ଔଷଧ ଓ ସାଲାଇନ୍‌ ଦେବାର ୧୦ ମିନିଟ୍‌ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଭୁଲ ଚିକିତ୍ସା କରି ମେଡିକାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ମାରିଦେଲେ। ତେବେ ଏ ନେଇ ଅଭିଯୋଗ କରିବାରୁ ମେଡିକାଲ କର୍ତ୍ତୃପକ୍ଷ ଲୋକଙ୍କୁ ନାଲି ଆଖି ଦେଖାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ବୁଝାଶୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ପରେ ଅନୁଗୋଳ ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏ ନେଇ ଏଡିଏମ୍‌ଓ (ମେଡିକାଲ) ମାନସ ରଞ୍ଜନ ବିଶ୍ୱାଳଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ମିଟିଂରେ ଥିବାରୁ ପ୍ରତିକ୍ରିୟା ଦେଇପାରି ନ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share