Categories: ଜାତୀୟ

ୟୁପିଏସ୍‌ସି ସିଭିଲ୍‌ ପ୍ରିଲିମ୍‌ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ, ୧୪।୫(ପି.ଟି.): ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଚଳିତ ବର୍ଷ ଜୁନ୍‌ରେ ହେବାକୁ ଥିବା ସିଭିଲ୍‌ ସର୍ଭିସ ପ୍ରିଲିମିନାରି ପରୀକ୍ଷାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସର ଚୟନ ଲାଗି କମିଶନ ସିଭିଲ୍‌ ସର୍ଭିସ ପରୀକ୍ଷା ତିନି ପର୍ଯ୍ୟାୟରେ (ପ୍ରିଲିମିନାରି, ମୁଖ୍ୟ ପରୀକ୍ଷା ଓ ସାକ୍ଷାତ୍‌କାର) କରିଥାଏ। ତେବେ ସଂକ୍ରମଣ ଅତ୍ୟଧିକ ବଢ଼ିଥିବାରୁ ଜୁନ୍‌ ୨୭ରେ ଅନୁଷ୍ଠିତ ହେବାକୁ ଥିବା ସିଭିଲ୍‌ ସର୍ଭିସ ପ୍ରିଲିମ୍‌ ପରୀକ୍ଷାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୧୦ରେ ଉକ୍ତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ୟୁପିଏସ୍‌ସି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଗତବର୍ଷ ମହାମାରୀ ପାଇଁ ସିଭିଲ୍‌ ସର୍ଭିସ ପରୀକ୍ଷାକୁ ମେ’ ୩୧ରୁ ଅକ୍ଟୋବର ୪କୁ ଘୁଞ୍ଚାଇ ଦିଆଯାଇଥିଲା। ଏପର୍ଯ୍ୟନ୍ତ ମୁଖ୍ୟ ଲିଖିତ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ସାକ୍ଷାତ୍‌କାର ହୋଇପାରି ନାହିଁ। ମହାମାରୀ କାରଣରୁ ୟୁପିଏସ୍‌ସି ଅନ୍ୟାନ୍ୟ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଥିଲା।

Share