କଟକ: ୪୧ କେନ୍ଦ୍ରରେ ହେବ ୟୁପିଏସ୍‌ସି ପ୍ରିଲିମ୍‌ନାରି ପରୀକ୍ଷା

କଟକ ଅଫିସ,୨।୧୦: ଆସନ୍ତା ୪ ତାରିଖରେ ଦୁଇଟି ସିଟିଂରେ ଭାରତୀୟ ପ୍ରଶାସନିକ ସେବା ପାଇଁ ୟୁପିଏସ୍‌ସି ପ୍ରିଲିମ୍‌ନାରୀ ପରୀକ୍ଷା ହେବ। କଟକର ୪୧ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହି ସମସ୍ତ କେନ୍ଦ୍ରରେ ସୁଚାରୁ ରୂପେ ପରୀକ୍ଷା ପରିଚାଳନା କରିବା ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ରାଜ୍ୟ ସରକାର ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରିଛନ୍ତି। ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱ ତଥା ଆବଶ୍ୟକ କାର୍ଯ୍ୟକ୍ରମ ନେଇ ଗୁରୁବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଅଧ୍ୟକ୍ଷତା କରିଥିଲେ। ପରୀକ୍ଷା ତଦାରଖ ଲାଗି ଜିଲାର ୧୨ ଜଣ ବରିଷ୍ଠ ବିଭାଗୀୟ ଅଧିକାରୀ ଆସିଷ୍ଟାଣ୍ଟ କୋର୍ଡିନେଟିଂ ସୁପରଭାଇଜର ଭାବେ ଦାଇତ୍ୱ ତୁଲାଇବେ। ସେମାନେ ଜିଲାପାଳ ତଥା କୋର୍ଡିନେଟିଂ ସୁପରଭାଇଜରଙ୍କୁ ସହଯୋଗ କରିବେ। ଏଥିସହ କେନ୍ଦ୍ରରେ ସୁବ୍ୟବସ୍ଥା ଓ ପରୀକ୍ଷା ଆୟୋଜନ ନିରୀକ୍ଷଣ ନିମନ୍ତେ ୪୧ ଜଣ ଅଧିକାରୀଙ୍କୁ ନିରୀକ୍ଷକ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ ନିୟମ ପାଳନ କରାଯାଇ ସାନିଟାଇଜେସନ ଓ ଆବଶ୍ୟକ ବ୍ୟବସ୍ଥା କରାଯିବ। ଏଥିଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ ଓ ପାନୀୟଜଳ ବ୍ୟବସ୍ଥା ସହ ଦୂରତା ରକ୍ଷା କରି ସିଟିଂ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଜିଲାପାଳ ଚୟନୀ କହିଛନ୍ତି। ସୂଚନାଯୋଗ୍ୟ, କଟକର ୪୧ କେନ୍ଦ୍ରରେ ସମୁଦାୟ ୧୭୧୪୨ ପରୀକ୍ଷାର୍ଥୀ ଯଥାକ୍ରମେ ସକାଳ ୯.୩୦ରୁ ୧୧.୩୦ ଏବଂ ଅପରାହ୍ନ ୨.୩୦ରୁ ୪.୩୦ ପର୍ଯ୍ୟନ୍ତ ପରୀକ୍ଷା ଦେବେ। ଏହି ବୈଠକରେ ୟୁପିଏସସିର ବରିଷ୍ଠ ଅଧିକାରୀ ବି.କେ ସାହୁ, ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share