ବର୍ଷାରେ ସହରତଳି ଅଞ୍ଚଳ ଜଳମଗ୍ନ

କଟକ,୨୩ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ଯୋଗୁ  କଟକ ସହରର ଅଧିକାଂଶ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷକରି ନୂଆ ରାଉସାପାଟଣା, ମକରବାଗ ସାହି, ସୂତାହାଟ, ଖ୍ରୀଷ୍ଟିଆନ୍‌ ଲେନ୍‌ ଆଦି ଅଞ୍ଚଳ ରାସ୍ତାରେ ବର୍ଷାପାଣି ଜମିଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ବର୍ଷା ଆସିଲେ ଉକ୍ତ ଅଞ୍ଚଳ ଜଳମଗ୍ନ ହୋଇଥାଏ। ଏହାବାଦ ଅନେକ ସ୍ଥାନରେ ପାଣି ଜମି ରହିଥାଏ। ଦୀର୍ଘବର୍ଷ ଧରି ଏହି ସମସ୍ୟା ଦେଖାଦେଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ଏ ନେଇ ନୂଆ ରାଉସାପାଟଣା ବାସିନ୍ଦା ବିନୋଦ ବେହେରା କହିଛନ୍ତି, ପ୍ରତିବର୍ଷ ଜଳବନ୍ଦୀ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। କାଳବୈଶାଖୀ ବର୍ଷାରେ ଏହି ଅଞ୍ଚଳ ଜଳମଗ୍ନ ହୋଇଥାଏ। ତେବେ ବର୍ଷାଦିନେ ସ୍ଥିତି କିଭଳି ରହୁଥିବ ତାହା ସହଜରେ ଅନୁମେୟ କରିହେବ। ଚଳିତବର୍ଷ ମଧ୍ୟ ସମାନ ସ୍ଥିତି ଭେଗିବାକୁ ପଡିବ ବୋଲି ଆଶଙ୍କା କରାଯାଉଛି। ସେହିପରି ଖ୍ରୀଷ୍ଟିଆନ ସାହିର ମନୋଜ ଦାସ କହିଛନ୍ତି, ବର୍ଷାଦିନେ ରାସ୍ତାରେ ଆଣ୍ଠୁଏ ଉଚ୍ଚତାର ପାଣି ଜମିବାରୁ ଯାତାୟତରେ ସମସ୍ୟା ହୋଇଥାଏ। ଏପରି ଘରେ ପାଣି ପଶିବାରୁ ଏକ ପ୍ରକାରର ଜଳବନ୍ଦୀ ଅବସ୍ଥାରେ ରହିଥାଉ। ସମସ୍ୟା ସମ୍ପର୍କରେ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ବର୍ଷା ପାଇଁ ସିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟ ଡ୍ରେନ୍‌ଗୁଡିକ କାର୍ଯ୍ୟ ଜାରି ରହିଛି। ସେଥିପାଇଁ କିଛି ସ୍ଥାନରେ ଜଳ ନିଷ୍କାସନ ହେବାରେ ସମସ୍ୟା ଦେଖାଦେଉଛି। ହେଲେ ଏଥିପାଇଁ ପମ୍ପ ବ୍ୟବସ୍ଥା କରାଯାଇଛି। ପୂର୍ବ ଭଳି ଚଳିତବର୍ଷ ସେଭଳି ସ୍ଥିତି ଉପୁଯିବ ନାହିଁ ବୋଲି ମେୟର କହିଛନ୍ତି।