ସବୁ ଅଭିଭାବକ ଚାହାନ୍ତି କିପରି ପିଲାଟି ସୁସ୍ଥ ହୋଇ ଜନ୍ମ ହେବ ଏବଂ ପରେ ତା’ର ସ୍ବାସ୍ଥ୍ୟ ଭଲ ରହିବ। ଏ ସମ୍ପର୍କରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ସୁରେନ୍ଦ୍ର ନାଥ ମିଶ୍ରଙ୍କ ସହିତ ‘ଧରିତ୍ରୀ’ର ଅସମାପିକା ସାହୁଙ୍କ ସ୍ବତନ୍ତ୍ର ଆଳାପ। ଗଞ୍ଜାମ ଜିଲା କୋଦଳା ବ୍ଲକ ଫାଶୀ ଗ୍ରାମରେ ୧୯୫୯ ଜୁଲାଇ ୩୦ରେ ଜନ୍ମଗ୍ରହଣ କରିଥିବା ଡା. ମିଶ୍ର ବ୍ରହ୍ମପୁର ଏମ୍କେସିଜିରୁ ୧୯୮୩ରେ ଏମ୍ବିବିଏସ୍ ଶେଷ କରିଥିଲେ। ଏହାପରେ ସେ ସରକାରୀ ଚାକିରିରେ ଯୋଗଦେଇଥିଲେ। ପରେ ୧୯୯୩ରୁ ସେ ଏମ୍କେସିଜିରୁ ପେଡିଆଟ୍ରିକ୍ରେ ପିଜି ଶେଷ କରିଥିଲେ।
ପ୍ରଶ୍ନ- ପିଲା ସୁସ୍ଥ ରହିବା ପାଇଁ ଅଭିଭାବକ କ’ଣ କରିବା ଉଚିତ?
ଉତ୍ତର- ପିଲାକୁ ସୁସ୍ଥ ଓ ସ୍ବାସ୍ଥ୍ୟବାନ କରିବାକୁ ହେଲେ କେବଳ ଜନ୍ମ ପରେ ନୁହେଁ, ଜନ୍ମ ପୂର୍ବରୁ ବି ଯତ୍ନ ନେବାକୁ ପଡ଼ିବ। ଗର୍ଭଧାରଣ ସମୟରୁ ହିଁ ପିଲାର ଯତ୍ନ ନେବାକୁ ପଡ଼ିବ। ପ୍ରସବ ପରେ ପିଲାର ଗ୍ରୋଥ୍ ପାଇଁ ମା’ କ୍ଷୀର ଗୁରୁତ୍ୱ ବହନ କରେ। କିନ୍ତୁ ଆଜିକାଲି ଅଭିଭାବକମାନେ ପିଲାକୁ ନେଇ ଆବଶ୍ୟକଠାରୁ ଅଧିକ ଚିନ୍ତା କରନ୍ତି। ଗୋଟେ ଛୁଆ ପାଇଁ ମା’, ବାପାଠାରୁ ଆରମ୍ଭ କରି ତା’ର ପୂରା ପରିବାର ବ୍ୟସ୍ତ ହୋଇପଡ଼ନ୍ତି। ଏଭଳି ବ୍ୟଗ୍ରତା ବି ବେଳେ ବେଳେ ଖରାପ ସ୍ଥିତିକୁ ଟାଣିଦିଏ। ଯଦି ନବଜାତ ପିଲାଟି ଦୁଇଦିନ ଭିତରେ ଭଲରେ ମା’ କ୍ଷୀର ନେଇ ନ ପାରିଲା, ଅଭିଭାବକ ସଙ୍ଗେ ସଙ୍ଗେ ବାହାରୁ ଡବା କିଣି ଆଣି ଦିଅନ୍ତି। ଆମେ ସେମାନଙ୍କୁ ବାହାର ଡବା ଆଣି ନ ଦେବା ପାଇଁ କାଉନସେଲିଂ କରୁ। ପ୍ରସବ ପରେ ପିଲାର ଭଲ ଗ୍ରୋଥ୍ ପାଇଁ ମା’ କ୍ଷୀର ଗୁରୁତ୍ୱ। ଏଥିସହିତ ମା’ର ପୋଷଣଯୁକ୍ତ ଖାଦ୍ୟ ଉପରେ ବି ପିଲାର ଗ୍ରୋଥ୍ ନିର୍ଭର କରେ।
ପ୍ରଶ୍ନ- ୩ବର୍ଷର ଛୁଆ ବି ଜଙ୍କ୍ ଫୁଡ୍ ଖାଇବା ଅଭ୍ୟାସ କଲେଣି। ଏ ସମ୍ପର୍କରେ କ’ଣ କହିବେ?
ଉତ୍ତର- ଏହା ସ୍ଲୋ ପଏଜନ। କେବଳ ଛୋଟ ପିଲା ନୁହେଁ, କୌଣସି ବର୍ଗର ଲୋକଙ୍କ ପାଇଁ ଏହାର ଆବଶ୍ୟକତା ନାହିଁ। ଏଥିରେ କୌଣସି ନ୍ୟୁଟ୍ରିସନାଲ ଭାଲ୍ୟୁ ନାହିଁ। କେବଳ ପାଟି ସୁଆଦ ଓ ଫ୍ୟାନ୍ସି। ପୂରା ଜୀବନ ପାଇଁ ଏହା ବିପଦ।
ପ୍ରଶ୍ନ- ଥାଲାସେମିଆ ଏକ ସାଧାରଣ ରୋଗ ହେଲାଣି। ସବୁବେଳେ ରକ୍ତର ଆବଶ୍ୟକ ପଡ଼ୁଛି। ଏଥିରୁ ସମ୍ପୂର୍ଣ୍ଣ ଭଲ ହେବା ପାଇଁ କିଛି ଚିକିତ୍ସା ଅଛି କି?
ଉତ୍ତର- ମେଜର ଥାଲାସେମିଆରେ ରକ୍ତର ଆବଶ୍ୟକ ପଡ଼ିଥାଏ। ପ୍ରତି ମାସରେ ପ୍ରାୟ ଗୋଟେ ଦୁଇଟା ଅବଶ୍ୟକ ପଡ଼େ। ଏହି ରୋଗ ସମ୍ପୂର୍ଣ୍ଣ ଭଲ ହେବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ନାହିଁ। ଯାହା କିଛି ଚିକିତ୍ସା ଅଛି, ତାହା କେବଳ ଜୀବନ ବଞ୍ଚାଇବା ପାଇଁ। ତେବେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହେଉଛି ଏହାର ଲାଟେଷ୍ଟ ଟ୍ରିଟ୍ମେଣ୍ଟ।
ପ୍ରଶ୍ନ- କେତେବେଳେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼େ?
ଉତ୍ତର- ରୋଗ ଚିହ୍ନଟ ହେବା ଦିନଠାରୁ ଏହାର ଆବଶ୍ୟକ ପଡ଼େ। କିନ୍ତୁ ଦୁଃଖର ବିଷୟ ଏହାର ଚିକିତ୍ସା ପାଇଁ ଖର୍ଚ୍ଚ ଓ ଖର୍ଚ୍ଚ ତୁଳନାରେ ସଫଳତା ବହୁତ କମ୍। ଏହି ଚିକିତ୍ସା ପଦ୍ଧତି ଉପରେ ଏବେ ବି ଗବେଷଣା ଚାଲିଛି। ତେଣୁ ଏହାକୁ କାର୍ଯ୍ୟକ୍ଷମ କରି ହେଉନି।
ପ୍ରଶ୍ନ- ସିକିଲ ସେଲ୍ ଆନିମିଆ ସମ୍ପୂର୍ଣ୍ଣ ଭଲ ହେବାର ସମ୍ଭାବନା ଅଛି କି?
ଉତ୍ତର- ଏହି ରୋଗ ବି ସେହି ଥାଲାସେମିଆ ପରି ଏକ୍ସପରିମେଣ୍ଟାଲ ଷ୍ଟେଜ୍ରେ ଅଛି। ରୋଗର ଚିକିତ୍ସା ଅଛି, କିନ୍ତୁ ସମ୍ପୂର୍ଣ୍ଣ ଭଲ ହେବା ପାଇଁ ସେମିତି କିଛି ଚିିକିତ୍ସା ନାହିଁ। ଏହାର ବି ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା ପାଇଁ ଗବେଷଣା ଚାଲିଛି।
ପ୍ରଶ୍ନ- ଥାଲାସେମିଆ ଓ ସିକିଲ ସେଲ୍ ଆନିମିଆ ବଂଶାନୁଗତ ରୋଗ। ଏହାର ପ୍ରତିକାର?
ଉତ୍ତର- ଫୁଲବାଣୀ, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ାର କିଛି ନିର୍ଦ୍ଦିଷ୍ଟ ଜାଗାରେ ସିକିଲ ସେଲ୍ ଆନିମିଆ ଅଧିକ ଦେଖାଯାଉଛି। କାରଣ ସେଠାରେ ସମ୍ପର୍କୀୟଙ୍କ ମଧ୍ୟରେ ବାହାଘର ହୋଇଥାଏ। ତେଣୁ ପ୍ରତିକାର ପାଇଁ ସେଭଳି ଗୋଷ୍ଠୀ ଭିତରେ ବାହାଘର ନ କରିବା ଭଲ। ସେହିପରି ଯଦି କାହାର ଗୋଟେ ପିଲା ଏହି ରୋଗରେ ପୀଡ଼ିତ ଅଛି ସେମାନେ ଆଉ ପିଲା ଜନ୍ମ ନ କରିବା ଭଲ। ଏସବୁ ସଚେତନତା କରାଗଲେ ରୋଗକୁ ରୋକାଯାଇପାରିବ।
ପ୍ରଶ୍ନ-ଏବେ ପ୍ରାୟ ଅନ୍ଲାଇନ୍ କ୍ଲାସ୍ ଚାଲୁଛି। ପିଲା ମୋବାଇଲ ଫୋନ୍ରେ ଅଧିକ ସମୟ କ୍ଲାସ୍ କଲେ କ’ଣ ପ୍ରଭାବ ପଡ଼ିବ?
ଉତ୍ତର- ଏହାର ପ୍ରଭାବ ପଡ଼ୁଛି। ସେମାନଙ୍କ ଚିଡ଼ଚିଡ଼ା ପଣ ବଢ଼ିଯାଉଛି। ଏଥିସହିତ ଆଖି ଉପରେ ପ୍ରଭାବ ପକାଉଛି। ଏଥିପାଇଁ ଏବେ ଅନେକ ପିଲା ହସ୍ପିଟାଲକୁ ଆସୁଛନ୍ତି। ତେଣୁ ଅଧିକ ଜରୁରୀ ନ ହେଲେ ମୋବାଇଲ ଫୋନ୍ ବ୍ୟବହାର ନ କରିବା ଭଲ।
ପ୍ରଶ୍ନ- ସମୟ ମିଳିଲେ କ’ଣ କରନ୍ତି?
ଉତ୍ତର- ମୁଁ ଘରେ ରହି ପରିବାର ଲୋକଙ୍କ ସହିତ ସମୟ ବିତାଇକୁ ପସନ୍ଦ କରେ।
ପ୍ରଶ୍ନ- କ’ଣ ଖାଇବାକୁ ଭଲ ଲାଗେ?
ଉତ୍ତର- ଘାଣ୍ଟ ତରକାରି ମୋର ପ୍ରିୟ ଖାଦ୍ୟ।
ପ୍ରଶ୍ନ- ରୋଷେଇ ଜାଣନ୍ତି କି?
ଉତ୍ତର- ହଁ। ସବୁ ରୋଷେଇ ଜାଣି ନାହିଁ। ତଥାପି ମୁଁ ଭଲ ଡାଲମା କରେ। ମୋ ହାତ ତିଆରି ଡାଲମାକୁ ସମସ୍ତେ ପସନ୍ଦ କରନ୍ତି।