ଶଟ୍‌ଡାଉନ୍‌କୁ ନେଇ ଆମେରିକା କଂଗ୍ରେସରେ ଝଡ଼

ଓ୍ବାଶିଂଟନ,୨୭।୨: ନିର୍ବାଚନୀ ବର୍ଷରେ ଆମେରିକା ସରକାର ଆଉ ୫ ଦିନ ପରେ ଆଂଶିକ ଶଟ୍‌ଡାଉନ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଥିରୁ ବର୍ତ୍ତିବା ଲାଗି ଆଇନ ପ୍ରଣେତାମାନେ ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ ସୋମବାର ଆମେରିକା କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ୟୁକ୍ରେନ୍‌, ଇସ୍ରାଏଲ୍‌ ଏବଂ ତାଇଓ୍ବାନକୁ ସହାୟତା ଯୋଗାଇବା ଆମେରିକା ପାଇଁ ଜରୁରୀ ହୋଇଥିବାବେଳେ ରିପବ୍ଲିକାନ୍‌ ପାର୍ଟି ନିୟନ୍ତ୍ରଣରେ ଥିବା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ଆର୍ଥତ୍କ ବର୍ଷ ପାଇଁ ୧.୫୯ ଟ୍ରିଲିୟନ ଡଲାରର ଇଚ୍ଛାଧୀନ ବ୍ୟୟ ପାଇଁ ରିପବ୍ଲିକାନ୍‌ ହାଉସ୍‌ ସ୍ପିକର ମାଇକ୍‌ ଜନସନ ଏବଂ ଡେମୋକ୍ରାଟିକ ସିନେଟର ସଂଖ୍ୟାଗରିଷ୍ଠ ନେତା ଚୁକ୍‌ ସୁମେର ସହମତ ହୋଇଥିଲେ। ଇତିମଧ୍ୟରେ ଦୁଇମାସ ବିତିଯାଇଥିଲେ ମଧ୍ୟ କଂଗ୍ରେସ ସବିଶେଷ ବିଧେୟକକୁ ନେଇ ନିଷ୍କର୍ଷରେ ପହଞ୍ଚତ୍ବାରେ ବିଫଳ ହୋଇଥିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। କଂଗ୍ରେସରେ ଅଚଳାବସ୍ଥା ଲାଗିରହିଲେ ସରକାରଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଉଛି।
ଅଚଳାବସ୍ଥା ଯୋଗୁ ରିପବ୍ଲିକାନ ଏବଂ ଡେମୋକ୍ରାଟ୍‌ମାନଙ୍କ ମଧ୍ୟରେ ବିବାଦ ବଢ଼ୁଥିବାବେଳେ ରିପବ୍ଲିକାନ୍‌ ର଼୍ୟାଙ୍କ ମଧ୍ୟରେ କଠୋରପନ୍ଥୀମାନେ ଏବେ ନିଜସ୍ବ ବିରୋଧୀ ଦଳ ଗଠନ କରିଛନ୍ତି। ୯୫ ବିଲିୟନ ଡଲାର ବିଦେଶ ସହାୟତା ବିଲ୍‌ ସିନେଟରେ ଗୃହୀତ ହୋଇଥିବାବେଳେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଅଟକି ରହିଛି। ଏହା ଉପରେ ରକ୍ଷଣଶୀଳ ଖ୍ରୀଷ୍ଟିଆନ ସଦସ୍ୟମାନଙ୍କୁ ଭୋଟ ଅନୁମତି ଦିଆଗଲେ ସ୍ପିକର ପଦରୁ ଜନ୍‌ସନଙ୍କୁ ବହିଷ୍କାର କରିବା ନିମନ୍ତେ କଠୋରପନ୍ଥୀ ରିପବ୍ଲିକାନ୍‌ ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବାଇଡେନ୍‌ଙ୍କ ସମର୍ଥନରେ ବିଲ୍‌ଗୁଡ଼ିକୁ ଜନ୍‌ସନ ଅଟକାଉଥିବାରୁ ହ୍ବାଇଟ୍‌ହାଉସ୍‌ ତାଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିଛି। ସିନେଟ୍‌ର ସଂଖ୍ୟାଗରିଷ୍ଠ ନେତା ସୁମେର, ଜନସନ ଓ ଅନ୍ୟ କଂଗ୍ରେସ ନେତାମାନଙ୍କୁ ମଙ୍ଗଳବାର ଭେଟିବା ନିମନ୍ତେ ବାଇଡେନ୍‌ ଯୋଜନା କରିଛନ୍ତି।

Share