Categories: ଜାତୀୟ

୬୦ ପ୍ରତିଶତ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛି ଟିକା

ନୂଆଦିଲ୍ଲୀ,୨୨।୮: ପ୍ରାୟ ୬.୫ ପ୍ରତିଶତ କରୋନା ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମୃତ୍ୟୁବରଣ କରିଛନ୍ତି। କରୋନା ସଂକ୍ରମଣ ହେବା ପରେ ଯେଉଁମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେମାନଙ୍କଠାରେ ସଂକ୍ରମଣର ପ୍ରଭାବ ଦୀର୍ଘ ସମୟ ଧରି ଦେଖାଯାଇଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବାର ଗୋଟିଏ ବର୍ଷ ପରେ ପୁରୁଷ ରୋଗୀଙ୍କ ମୃତ୍ୟୁ ହେବାର ସର୍ବାଧିକ ଆଶଙ୍କା ରହିଥିଲା। ତେବେ ହସ୍ପିଟାଲରୁ ଘରକୁ ଫେରିବା ପରେ କରୋନା ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଇ ଦିଆଯାଇଥିଲା।
ଇଣ୍ଡିଆନ ଜର୍ନାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଏକ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, କରୋନା ପାଇଁ ସ୍ଥାପିତ ନ୍ୟାଶନାଲ କ୍ଲିନିକାଲ ରେଜିଷ୍ଟ୍ରି ଅଧୀନରେ ଦେଶର ୩୧ଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି। ଏଥିପାଇଁ ସମୁଦାୟ ୧୪,୪୧୯ ରୋଗୀ ଚୟନ କରାଯାଇଥିଲା, ଯାହାର ଅନୁସନ୍ଧାନକାରୀ ଦଳ ଡାକ୍ତରଖାନାରୁ ଘରକୁ ଯିବା ପରେ ଅତି କମରେ ଥରେ ଫୋନରେ ଫଲୋଅପ୍‌ କରିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ, ଡାକ୍ତରଖାନାରୁ ଡିସଚାର୍ଜ ହେବାର ଏକ ବର୍ଷ ମଧ୍ୟରେ ୯୪୨ (୬.୫%) ଲୋକଙ୍କର ମୃତ୍ୟୁ ଘଟିଛି। ଏହି ରୋଗୀମାନେ ସଂକ୍ରମିତ ହେବା ପୂର୍ବରୁ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଅନୁସନ୍ଧାନକାରୀମାନେ ଚଳିତ ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ରୋଗୀମାନଙ୍କ ସହିତ ଅନୁସନ୍ଧାନ କରିଥିଲେ।
ଆଇସିଏମଆର ଅନୁଯାୟୀ, ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ୪୦ ବର୍ଷରୁ ଅଧିକ ବୟସ୍କ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ପୁରୁଷ ରୋଗୀଙ୍କ ହସ୍ପିଟାଲରୁ ଡିସଚାର୍ଜ ହେବାର ଏକ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଛି। ସମାନ ବିଶ୍ଳେଷଣରେ ଏହା ମଧ୍ୟ ଜଣାପଡିଛି ଯେ, ହସ୍ପିଟାଲରେରୁ ଡିସଚାର୍ଜ ହେବା ପରେ କରୋନା ଟିକା ନେଇଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା ୬୦% ହ୍ରାସ ପାଇଛି।

 

Share