Categories: ଜାତୀୟ

ଟିକା ହିଁ ଆଶା

ଗତବର୍ଷ ଶେଷ ଆଡ଼କୁ ବିଶ୍ୱକୁ ଅଭିଶାପ ଭଳି ମାଡ଼ିଆସିଥିଲା ଏକ ଅଜଣା ଭୂତାଣୁ, ଯାହାକୁ ପରବର୍ତ୍ତୀ ସମୟରେ କରୋନା ବା କୋଭିଡ୍‌-୧୯ ରୂପେ ନାମକରଣ କରାଯାଇଥିଲା। ଏହି ମହାମାରୀର ଚେର ଅଦ୍ୟାବଧି ୨୨୫ରୁ ଊର୍ଦ୍ଧ୍ୱ ଦେଶକୁ ଲମ୍ବିସାରିଛି। ଏଥିରେ ୬୯,୪୧୮,୪୬୪ ଜଣ ସଂକ୍ରମିତ ହୋଇଥିବାବେଳେ ବିଭିନ୍ନ ଉପାୟରେ ଚିକିତ୍ସିତ ହୋଇ ୪୮,୧୬୫,୧୬୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଚିକିତ୍ସା ପାଇଁ ଯେଉଁସବୁ ଉପାୟ ଆପଣାଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। କାରଣ ଗୁରୁବାର ସୁଦ୍ଧା କରୋନା ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ୧,୫୭୯,୧୦୦ରେ ପହଞ୍ଚତ୍ଛି। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ହେଉଛି ପ୍ରାୟ ୧ ଲକ୍ଷ ୪୨ ହଜାର। ଏଭଳି ସମୟରେ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଭାକ୍ସିନ ହିଁ ଏକମାତ୍ର ଆଶା।

ନୂଆଦିଲ୍ଲୀ/ଲଣ୍ଡନ, ୧୧ା୧୨:ବିଶ୍ୱର ସର୍ବବୃହତ୍‌ ଭାକ୍ସିନ ପ୍ରସ୍ତୁତକାରୀ ଦେଶ ଭାରତରେ ଆସନ୍ତା କିଛି ସପ୍ତାହ ମଧ୍ୟରେ କୋଭିଡ୍‌-୧୯ ଟିକା ଆସିବାକୁ ଯାଉଛି। ୩ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କ ଆବେଦନ ଡ୍ରଗ୍‌ ନିୟନ୍ତ୍ରକଙ୍କ ବିଚାରାଧୀନ ରହିଛି। ସାରା ବିଶ୍ୱରେ ବିକ୍ରି ହେଉଥିବା ମୋଟ ଭାକ୍ସିନର ୬୦% କେବଳ ଭାରତରେ ପ୍ରସ୍ତୁତ ହୋଇଥାଏ। ଦେଶର ୪୦ ବିଲିୟନ ଫାର୍ମାସ୍ୟୁଟିକାଲ୍‌ ସେକ୍ଟର ଫାଇଜର୍‌ ଇନ୍‌କ ଓ ମଡର୍ନା ଶଟ୍‌ ଏଥିରେ ସାମିଲ ହେବା ପରେ ଭାରତ ବିଶ୍ୱର ପ୍ରତିଷେଧନ କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସୂତ୍ରରୁ ଜଣାପଡ଼ିଛି।
ବର୍ତ୍ତମାନ ଭାରତରେ ୮ଟି କୋଭିଡ୍‌ ଟିକା ଉଦ୍ଭାବନ ହୋଇଛି। ସେହିପରି ଅରବିନ୍ଦ ଫାର୍ମା ପକ୍ଷରୁ ବିକଶିତ ଅନ୍ୟ ଏକ ଟିକା ପ୍ରାଥମିକ ପର୍ଯ୍ୟାୟରେ ଅଛି। ଏହି ୯ ଟିକା ମଧ୍ୟରୁ ୬ ଭାକ୍ସିନର କ୍ଲିନିକାଲ୍‌ ଟ୍ରାଏଲ୍‌ ଚାଲିଥିବାବେଳେ ୩ଟି ପ୍ରିକ୍ଲିନିକାଲ୍‌ ଷ୍ଟେଜ୍‌ରେ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି।

Share