ଗଣତନ୍ତ୍ରର ମୂଲ୍ୟ

ସର୍ବେଶ୍ୱର ବେହେରା

 

ସର୍ବପ୍ରଥମେ ଗଣତନ୍ତ୍ର ଇଂଲଣ୍ଡରେ ଆସିଥିଲା। ଇଂଲଣ୍ଡରେ ରାଜତନ୍ତ୍ରର ନିରଙ୍କୁଶତା ବିରୁଦ୍ଧରେ ଜନସାଧାରଣ ସ୍ବର ଉତ୍ତୋଳନ କରିଥିଲେ। ଦ୍ୱାଦଶ ଶତାବ୍ଦୀର ଅନ୍ତିମ କାଳରେ ଏହି ଅସନ୍ତୋଷ ତୀବ୍ରତର ହୋଇଥିଲା। ଦେଶ ଶାସନରେ ସାଧାରଣ ଜନତାଙ୍କ ପ୍ରତିନିଧିତ୍ୱ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କଲେ। ଏହାକୁ ଗଣତନ୍ତ୍ର କୁହାଗଲା। ବୁଦ୍ଧିଜୀବୀ ଓ ଜନସାଧାରଣ ୧୨୧୫ରେ ମାଗ୍ନିକାର୍ଟା ନାମକ ଏକ ପଦ୍ଧତି ପ୍ରଣୟନ କଲେ। ସାଧାରଣ ଜନତାଙ୍କ ପ୍ରତିନିଧିତ୍ୱ କରିବା ପାଇଁ ପାର୍ଲାମେଣ୍ଟ ଗଠନ କରିବା ଲାଗି ଦାବି ହେଲା। ରାଜ ପରିଷଦ(କିଙ୍ଗ୍‌ କାଉନ୍‌ସିଲ)କୁ ପାର୍ଲାମେଣ୍ଟ କୁହାଗଲା। କିନ୍ତୁ ଏହି ପାର୍ଲାମେଣ୍ଟର ଅଧିକାର ସମ୍ବନ୍ଧରେ ଦେଶର ବୁଦ୍ଧିଜୀବୀମାନେ ଚର୍ଚ୍ଚା ଆଲୋଚନା, ସଭାସମିତି ନାମରେ ଜନଜାଗରଣ କଲେ। ରାଜା ଚାପର ବଶବର୍ତ୍ତୀ ହୋଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କଲେ। ପାର୍ଲାମେଣ୍ଟ ଗଠନ କରିବା ପାଇଁ ରାଜା ଘୋଷଣା କଲେ। କିନ୍ତୁ ପାର୍ଲାମେଣ୍ଟର କ୍ଷମତା ନ ଥିଲା। ୧୬୮୮ରେ ଇଂଲଣ୍ଡରେ ଗ୍ଲୋରିୟସ୍‌ ରିଭୋଲ୍ୟୁଶନ ଦେଖାଦେଲା। ତା’ପରେ ପାର୍ଲାମେଣ୍ଟର କ୍ଷମତା ନିର୍ଦ୍ଧାରଣ କରାଗଲା। ରାଜାଙ୍କ ସ୍ଥାନରେ ପାର୍ଲାମେଣ୍ଟ ସର୍ବୋପରି ହେଲା। ସପ୍ତଦଶ ଶତାବ୍ଦୀର ଶେଷଭାଗରେ ପାର୍ଲାମେଣ୍ଟର କ୍ଷମତା ସମସ୍ତେ ଅନୁଭବ କଲେ। ୧୬୮୮ରେ ଇଂଲଣ୍ଡରେ ସର୍ବପ୍ରଥମେ ସମଗ୍ର ଜନତାର ମାତ୍ର ଚାରି ପ୍ରତିଶତଙ୍କୁ ଭୋଟ ଦେବାର ଅଧିକାର ମିଳିଲା। ୧୮୩୨ରେ ସେମାନେ ଗଣତନ୍ତ୍ରର ସୁଧାର ପାଇଁ ନୂତନ ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ବଳରେ ଦେଶର ସମଗ୍ର ଜନତାଙ୍କ ଦଶ ପ୍ରତିଶତଙ୍କୁ ଭୋଟ ଦେବା ଅଧିକାର ମିଳିଲା।
ଏହାପରେ ୧୮୬୭ ଓ ୧୮୮୨ରେ ଏହାର ସୀମା ବୃଦ୍ଧି ପାଇଲା। ୧୯୧୮ ରେ କେବଳ ପୁରୁଷଙ୍କୁ ଭୋଟ ଦେବାର ଅଧିକାର ମିଳିଲା। ମହିଳାମାନେ ଏହି ପୁରୁଷ ପ୍ରାଧାନ୍ୟ ନିର୍ଣ୍ଣୟ ବିରୁଦ୍ଧରେ ଦୃଢ଼ ସ୍ବର ଉତ୍ତୋଳନ କଲେ। ପରେ ମହିଳାମାନଙ୍କୁ ୨୧ ବର୍ଷ ବୟସରେ ଭୋଟ ଦେବାର ଅଧିକାର ମିଳିଲା। ପୁରୁଷମାନଙ୍କ ୧୮ ଓ ମହିଳାମାନଙ୍କ ୨୧ ବର୍ଷରେ ଭୋଟଦାନ ଅଧିକାରର ତାରତମ୍ୟକୁ ସମସ୍ତେ ସମାଲୋଚନା କଲେ। ପାର୍ଲାମେଣ୍ଟରେ ଚର୍ଚ୍ଚା-ଆଲୋଚନା ହେଲା। ଏହି ପାର୍ଥକ୍ୟ କାହିଁକି? ବରିଷ୍ଠ ସାଂସଦମାନେ ମତଦେଲେ ଏହା ଏକ ପ୍ରୟୋଗ(ଏକ୍ସପେରିମେଣ୍ଟ) କରାଯାଉଛି। ଏହା କେତେଦୂର ସଫଳ ହେବ, ତାହା ଭବିଷ୍ୟତ କହିବ। ଏହି ଏକ୍ସପେରିମେଣ୍ଟ ଦୀର୍ଘଦିନ ଧରି ଚାଲିଲା। ଶେଷରେ ୧୯୨୮ରେ ସମସ୍ତ ପୁରୁଷ ଓ ମହିଳାଙ୍କୁ ୧୮ ବର୍ଷ ବୟସରେ ଭୋଟଦାନ କରିବାର ଅଧିକାର ମିଳିଲା। ୧୨୧୫ରୁ ଆରମ୍ଭ ହୋଇଥିବା ଜନଜାଗରଣର ସୁଫଳ ୧୯୨୮ରେ ମିଳିଲା। ଦୀର୍ଘ ସାତଶହ ବର୍ଷକାଳ ଗଣତନ୍ତ୍ର ପ୍ରତିଷ୍ଠାର ଏହା ଏକ ଐତିହାସିକ ପଦକ୍ଷେପ। ସମସ୍ତ ଜନସାଧାରଣ ଗଣତନ୍ତ୍ରର ମୂଲ୍ୟ ହୃଦୟଙ୍ଗମ କରିଥିଲେ। ଫଳରେ ସେଠାରେ ଗଣତନ୍ତ୍ର ସୁଚାରୁରୂପେ କାର୍ଯ୍ୟ କରୁଛି।
ଆମ ଦେଶରେ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଏପରି କୌଣସି ଜନଜାଗରଣ ହୋଇନାହିଁ। ସର୍ବପ୍ରଥମେ ୧୯୨୦ରେ ଗଣତନ୍ତ୍ର ମଣ୍ଟେଗୁ ଚେମ୍ସଫୋର୍ଡ ପ୍ରଣୟନ କରିବା ପାଇଁ ପ୍ରଚେଷ୍ଟା କରିଥିଲେ। ସେତେବେଳେ ଦେଶରେ ୨୪ କୋଟି ଜନସାଧାରଣ ଥିଲେ। ସଂଯୁକ୍ତ ରାଜ୍ୟ ଶାସନ ଥିଲା। କାଉନ୍‌ସିଲ ଅଫ୍‌ ଷ୍ଟେଟ୍‌ସ ପାଇଁ ୧୭୦୦୦ ଜନସାଧାରଣଙ୍କୁ ଭୋଟ ଦେବା ଅଧିକାର ମିଳିଲା। ନ୍ୟାଶନାଲ ଆସେମ୍ବ୍ଲି ପାଇଁ ୯ ଲକ୍ଷ ୯ ହଜାର ବ୍ୟକ୍ତିଙ୍କୁ ଭୋଟ ଦେବାର ଅଧିକାର ମିଳିଲା। ଗଣତନ୍ତ୍ର ପାଇଁ କୌଣସି ସଂଘର୍ଷ, ଜନଜାଗରଣ ବିନା ଆମ ଦେଶରେ ୯ ଲକ୍ଷ ଲୋକଙ୍କୁ ତୁରନ୍ତ ଭୋଟ ଦାନର ଅଧିକାର ମିଳିଲା। ସ୍ବାଧୀନତା ପରେ ୧୯୫୦ରେ ତୁରନ୍ତ ସମସ୍ତ ଜନସାଧାରଣଙ୍କୁ ଭୋଟ ଦେବାର ଅଧିକାର ମିଳିଲା। ଭାରତର ଜନସାଧାରଣ ଇଂଲଣ୍ଡ ଜନସାଧାରଣଙ୍କ ପରି ଗଣତନ୍ତ୍ର ସମ୍ବନ୍ଧରେ କୌଣସି ସଂଘର୍ଷ କିମ୍ବା ଜନଜାଗରଣ କରିନାହାନ୍ତି। ଭାରତର ଜନସାଧାରଣ ଗଣତନ୍ତ୍ର ସମ୍ବନ୍ଧରେ କୌଣସି ପ୍ରଶିକ୍ଷଣ ନେଇନାହାନ୍ତି। ଏଣୁ ଗଣତନ୍ତ୍ରର ମୂଲ୍ୟକୁ ହୃଦୟଙ୍ଗମ କରିନାହାନ୍ତି। ଇଂଲଣ୍ଡର ଜନତା ଏହି ପ୍ରଶିକ୍ଷଣ ୭୦୦ ବର୍ଷ ଧରି ଗ୍ରହଣ କରିଥିଲେ। କିନ୍ତୁ ଭାରତରେ ଏହା ହୋଇ ନ ଥିବା ଯୋଗୁ ଗଣତନ୍ତ୍ରର ସୁଫଳ ଆଜି ଦେଖାଯାଇନାହିଁ।
ଇଂଲଣ୍ଡର ସଂସଦୀୟ ପ୍ରଣାଳୀକୁ ଭାରତର ତତ୍‌କାଳୀନ ନେତାମାନେ ସମାଲୋଚନା କରିଥିଲେ। ୧୯୦୮ ରେ ‘ହିନ୍ଦ୍‌ ସ୍ବରାଜ୍ୟ’ ପୁସ୍ତକରେ ମହାତ୍ମା ଗାନ୍ଧୀ ଇଂଲଣ୍ଡର ସଂସଦୀୟ ପ୍ରଣାଳୀ ଭାରତରେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଯଦି ଏହା ଭାରତରେ ଲାଗୁ କରାଯାଏ ତେବେ ଭୋଟରମାନେ କିଣାବିକା ହୋଇଯିବେ। ଗଣତନ୍ତ୍ରର ସୁଫଳ ମିଳିପାରିବ ନାହିଁ ବୋଲି ମହାତ୍ମା ଗାନ୍ଧୀ ବର୍ଣ୍ଣନା କରିଛନ୍ତି। ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ୧୯୨୬ରେ ନିଜ ଜୀବନୀ ସମ୍ବନ୍ଧରେ ଏକ ପୁସ୍ତକ ରଚନା କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଯଦି ଭାରତ ଇଂଲଣ୍ଡର ସଂସଦୀୟ ପ୍ରଣାଳୀକୁ ସ୍ବୀକାର କରେ ତେବେ ସର୍ବପ୍ରଥମେ ନିର୍ବାଚନ ସମୟରେ ଭ୍ରଷ୍ଟାଚାର ବୃଦ୍ଧିପାଇବ। ନିର୍ବାଚନ ପରେ ମଧ୍ୟ ଏହି ଭ୍ରଷ୍ଟାଚାରକୁ ନିୟନ୍ତ୍ରଣ କରିହେବନାହିଁ। ୧୯୪୩ରେ ବିଶିଷ୍ଟ ଲେଖକ ମାନବେନ୍ଦ୍ର ରାୟ ‘ପାର୍ଟି ପାୱାର ଆଣ୍ଡ ପଲିଟିକ୍ସ’ ନାମକ ଏକ ପୁସ୍ତକ ରଚନା କରିଥିଲେ। ସେ ବିଶ୍ୱର ବହୁ ଦେଶର ସମ୍ବିଧାନକୁ ଅଧ୍ୟୟନ କରି ଏହି ପୁସ୍ତକ ରଚନା କରିଥିଲେ। ସେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ, ଭାରତ ଗଣତନ୍ତ୍ରର ସୁଫଳ ସେତେବେଳେ ମିଳିବ ଯେବେ ସମସ୍ତ ଜନସାଧାରଣ ଜାଗ୍ରତ ହୋଇ ଏହାର ମୂଲ୍ୟକୁ ହୃଦୟଙ୍ଗମ କରିବେ। ମାନବେନ୍ଦ୍ର ଏ ସମ୍ବନ୍ଧରେ ଆହୁରି ଉଲ୍ଲେଖ କରିଛନ୍ତି, ଭାରତରେ ଗଣତନ୍ତ୍ର ସମ୍ବନ୍ଧରେ ପବ୍ଲିକ୍‌ ଏଜୁକେଶନ ଆବଶ୍ୟକ। ଏକ ସଭାରେ ତାଙ୍କୁ ପ୍ରଶ୍ନ କରାଗଲା ଯେ ଭାରତରେ ଶତକଡ଼ା ପଚାଶ ଭାଗ ନିରକ୍ଷର। ସେମାନଙ୍କୁ ଏ ସମ୍ବନ୍ଧରେ ପ୍ରଶିକ୍ଷଣ କିପରି ପ୍ରଦାନ କରାଯାଇପାରିବ? ଏମ୍‌.ଏନ୍‌. ରାୟ ଏହାର ଏକ ସୁନ୍ଦର ଉତ୍ତର ପ୍ରଦାନ କରିଥିଲେ- ଏହି ରାସ୍ତା ସୁଦୀର୍ଘ ହୋଇପାରେ, ଯଦି ଏହା ଏକମାତ୍ର ରାସ୍ତା ତେବେ ଏହା କ୍ଷୁଦ୍ର ରାସ୍ତା।
ଆଜି ସ୍ବାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ କାଳରେ ମଧ୍ୟ ଆମେ ଗଣତନ୍ତ୍ରର ମୂଲ୍ୟକୁ ହୃଦୟଙ୍ଗମ କରିପାରିଲୁନାହିଁ। ସେତେବେଳେ ମହାତ୍ମା ଗାନ୍ଧୀଙ୍କ ସହିତ ଯେଉଁ ବୁଦ୍ଧିଜୀବୀମାନେ ସଂସଦୀୟ ଗଣତନ୍ତ୍ର ସମ୍ବନ୍ଧରେ ସତର୍କ କରିଥିଲେ, ତାହାକୁ ଆମେ ଅବହେଳା କଲୁ। ଆମ ଜନସାଧାରଣଙ୍କୁ ଗଣତନ୍ତ୍ର ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଗଲାନାହିଁ। ତା’ର ଫଳ ଆଜି ଆମେ ଭୋଗକରୁଛୁ। ନିର୍ବାଚନରେ ସମସ୍ତେ ଅଂଶଗ୍ରହଣ କରୁନାହାନ୍ତି। ଶତକଡ଼ା ଶହେଭାଗ ଭୋଟ ପ୍ରଦାନ ହୋଇପାରୁନାହିଁ। ରାଜନୈତିକ ଦଳର ନେତୃବୃନ୍ଦମାନେ ନିର୍ବାଚନ ସମୟରେ ଭୋଟ କିଣାବିକା କରି ନିର୍ବାଚନ ବୈତରଣୀ ପାର ହେଉଛନ୍ତି। ଭ୍ରଷ୍ଟାଚାର ଚରମ ଶିଖରରେ। କେବଳ ସେତିକି ନୁହେଁ, ଦେଶରେ ଏବେ ମଧ୍ୟ ହିନ୍ଦୁ-ମୁସଲମାନ, ସବର୍ଣ୍ଣ-ଅସବର୍ଣ୍ଣ, ଭାଷା ପ୍ରାନ୍ତକୁ ନେଇ ବିଭେଦତା ବୃଦ୍ଧି ପାଇବାରେ ଲାଗିଛି। ଏଣୁ ସାଧାରଣ ଜନତାଙ୍କ ପ୍ରଶିକ୍ଷଣ ଓ ସଜ୍ଜନ ଶକ୍ତିର ଜାଗରଣ ହିଁ ଏକମାତ୍ର ମାର୍ଗ। ଫଳରେ ଗଣତନ୍ତ୍ରର ସୁଫଳ ମିଳିବ।
ଆଡ୍‌ଭୋକେଟ, ଖଟ୍‌ବିନ ସାହି, କଟକ
ମୋ: ୯୪୩୭୦୧୬୩୮୪