ଚଳିତବର୍ଷ ବଢ଼ିବନି ସ୍ଥାବର ସମ୍ପତ୍ତି ମୂଲ୍ୟ

ଭୁବନେଶ୍ୱର,୬ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ଦ୍ୱିତୀୟ ଲହର ହୁ ହୁ ହୋଇ ମାଡ଼ିଚାଲିଛି। ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜମି, ପ୍ଲଟ୍‌ ଓ ଫ୍ଲାଟ ମୂଲ୍ୟ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଏହା ଲାଗୁ ହେବ। ବୁଧବାର ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲା ମୂଲ୍ୟାୟନ କମିଟିର ଅଧ୍ୟକ୍ଷ ଥିବା ଜିଲାପାଳଙ୍କୁ ଜଣାଇ ଦିଆଯାଇଛି। ଏ ନେଇ ବିଭାଗ ପକ୍ଷରୁ ମଧ୍ୟ ଏକ ସର୍କୁଲାର ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ୨୦୨୦-୨୧ ଆର୍ଥିକବର୍ଷରେ ଜମିବାଡ଼ି, ପ୍ଲଟ୍‌ ଓ ଫ୍ଲାଟ ପାଇଁ ଯେଉଁ ମୂଲ୍ୟ ଥିଲା ତାହା ଚଳିତ ଆର୍ଥିକବର୍ଷରେ ମଧ୍ୟ ଲାଗୁ ରହିବ। ଜମିବାଡ଼ି ବିକ୍ରି ପାଇଁ ପୂର୍ବରୁ ଥିବା ରେଜିଷ୍ଟ୍ରେଶନ ଫି’ ଅପରିବର୍ତ୍ତିତ ରହିବ। ଗତବର୍ଷ ଖୋର୍ଦ୍ଧା ଓ ବରଗଡ଼ ଜିଲା ପାଇଁ ଜମିର ବେଞ୍ଚମାର୍କ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ଜିଲାଗୁଡ଼ିକ ପାଇଁ ଅପରିବର୍ତ୍ତିତ ରହିଥିଲା। ପରେ ଉକ୍ତ ବୃଦ୍ଧି ସମ୍ପର୍କିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଥିଲା।

Share