ଦିନକରେ ୭୫ ଫୌଜଦାରି ମାମଲାର ରାୟ ପ୍ରକାଶ

କଟକ,୨୫ା୭ (କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ସୁଦୀର୍ଘ ଗରିମାମୟ ଇତିହାସରେ ଯୋଡ଼ିହୋଇଛି ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ। ହାଇକୋର୍ଟ ବିଚାରପତି ଦେବବ୍ରତ ଦାଶ ଓ ଡ. ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସୋମବାର ଗୋଟିଏ ଦିନରେ ୭୫ଟି ଫୌଜଦାରି ମାମଲାର ରାୟ ପ୍ରକାଶ କରିଛନ୍ତି। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନର ଅବ୍ୟବହିତ ପୂର୍ବରୁ ଏହା ଏକ ମାଇଲଖୁଣ୍ଟ ପରି ଓଡ଼ିଶା ତଥା ଭାରତର ନ୍ୟାୟିକ ଇତିହାସକୁ ଗୌରବାନ୍ବିତ କରିଛି।
ସୂଚନା ଅନୁସାରେ, ଆସନ୍ତା ୨୬ରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ସମାରୋହ ପାଳନ କରାଯିବ। ଏହି ଅବସରରେ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ବର୍ତ୍ତମାନ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଇ ବ୍ୟବସ୍ଥାକୁ ଅତ୍ୟନ୍ତ ସହଜ କରାଯାଇଛି। ହାଇକୋର୍ଟର ସମସ୍ତ ଐତିହାସିକ କୃତିତ୍ୱ ସହ ବର୍ତ୍ତମାନର ଏହି ୭୫ ଫୌଜଦାରି ମାମଲାର ରାୟ ପ୍ରକାଶ ଗତ ୭ ଦଶକ ତୁଳନାରେ ନ୍ୟାୟିକ ବ୍ୟବସ୍ଥାର ଅଗ୍ରଗତିକୁ ପ୍ରମାଣିତ କରିଛି। ଏହି ଫୌଜଦାରି ମାମଲାଗୁଡ଼ିକ ଗତ ୭ ବର୍ଷ ବା ତଦୂର୍ଦ୍ଧ୍ୱ ସମୟ ଧରି ହାଇକୋର୍ଟରେ ବିଚାରାଧୀନ ଥିଲା। ଏ ସମସ୍ତ ହତ୍ୟା ମାମଲା ହୋଇଥିବାବେଳେ ରାଜ୍ୟର ଜିଲା କୋର୍ଟଗୁଡ଼ିକର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଚାର ପାଇଁ ପଡ଼ିରହିଥିଲା। ୨୦୨୩ ଜୁନ୍‌ ୨୧ ତାରିଖଠାରୁ ଏହି ମାମଲାଗୁଡ଼ିକର ଶୁଣାଣି ଚାଲିଥିଲା। ନ୍ୟାୟପାଳିକା ଏବେ ନୂଆ ପ୍ରଣାଳୀରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବାର ଲକ୍ଷ୍ୟ ପୂରଣ କରୁଛି। ବିଶେଷକରି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ଯାତ୍ରାରେ ଯୋଗଦେବାକୁଥିବା ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ଏହା ଏକ ଯଥାଯୋଗ୍ୟ ସମ୍ମାନ ହୋଇପାରିଛି। ଯାହାକି ସୁପ୍ରିମକୋର୍ଟରେ ୨୦୨୨ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ମୁର୍ମୁ କହିଥିଲେ, ନ୍ୟାୟପାଳିକାରେ ଫୌଜଦାରି ମାମଲାଗୁଡ଼ିକ ବିଚାର ନ ହୋଇ ଦୀର୍ଘଦିନ ଧରି ପଡ଼ିରହୁଛି। ଏହାଦ୍ୱାରା ବହୁସଂଖ୍ୟକ ନିରୀହ ଲୋକ ବିଳମ୍ବିତ ନ୍ୟାୟ ପାଇଁ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ସେମାନେ ଜୀବନ ବିତାଉଛନ୍ତି। ସେମାନଙ୍କର ମୂଲ୍ୟବାନ ଜୀବନ ଓ ସମୟ ଜେଲ ମଧ୍ୟରେ ନଷ୍ଟ ହୋଇଯାଉଛି। ହେଲେ ସେମାନଙ୍କ ମାମଲାର ଫଇସଲା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହୋଇପାରୁନାହିଁ ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତିଙ୍କ କଥାକୁ ସମ୍ମାନ ଜଣାଇ ହାଇକୋର୍ଟ ଗ୍ରହଣ କରିଥିବା ଏହି ପଦକ୍ଷେପ ତା’ର ନ୍ୟାୟିକ ପରମ୍ପରାକୁ ମହାନ୍‌ କରିଛି ବୋଲି କୁହାଯାଉଛି।

Share