Categories: ମେଟ୍ରୋ

ପୋଲିସ ସେବା ଭବନ ପରିସରରେ ମଉଜ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କରୋନା ପରିସ୍ଥିତି ଓ ସଂକ୍ରମଣ ଏଡ଼ାଇବା ପାଇଁ କମିଶନରେଟ ପୋଲିସ ମୁଖ୍ୟାଳୟ ‘ପୋଲିସ ସେବା ଭବନ’କୁ ବର୍ତ୍ତମାନ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ ରଖାଯାଇଛି। ଏଥିସହ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ କାର୍ଯ୍ୟାଳୟ ଭିତରେ ସ୍ପଳ୍ପ ଅଧିକାରୀ ଓ କର୍ମଚାରୀରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି। ଭିତର ଓ ବାହାରେ ବହୁ ପୋଲିସ କର୍ମଚାରୀ କଟକଣା ଓ ସୁରକ୍ଷା ଦାୟିତ୍ୱରେ ରହୁଛନ୍ତି। ଏପରିସ୍ଥିତିରେ ଏଠାରେ ଚାଲିଛି ମଉଜମସ୍ତି। ରବିବାର ଏହା ପରିସରରେ ଡ୍ୟାନ୍ସ ସହ ଫନି ଭଡିଓ ଶୁଟିଂ ଚାଲିଥିବା ଦେଖିବାକୁ ମିଳିଛି। ବାଜୁଥିଲା ମ୍ୟୁଜିକ୍‌, ଆଉ ଏକ ଷ୍ଟାଣ୍ଡ୍‌ରେ ରହିଥିଲା ମୋବାଇଲ୍‌ କ୍ୟାମେରା। ଏହା ଆଗରେ ଦୁଇଜଣ ବ୍ୟକ୍ତି ହାତ ଓ ଅଣ୍ଟା ହଲାଇ ଖାମଖିଆଲ ଭାବେ ନାଚୁଥିବା ବାହାରକୁ ଦିଶୁଥିଲା। ପାଖରେ ମଧ୍ୟ କେତେଜଣ ଠିଆ ହୋଇ ତାହାକୁ ଉପଭୋଗ କରୁଥିଲେ। ରାସ୍ତାରେ ଯାଉଥିବା ଲୋକ ଏହାଦେଖି ଟିକିଏ ଅଟକି ଯାଉଥିଲେ। ସେହିବାଟ ଦେଇ ଯାଉଥିବା ଧରିତ୍ରୀର ଖବରଦାତାଙ୍କ ନଜର ପଡିବାରୁ ସେ ମଧ୍ୟ ଅଟକିଯାଇ ନିଜ ମୋବାଇଲ୍‌ ଫୋନ୍‌ରେ ଦୃଶ୍ୟକୁ କଏଦ କରିଥିଲେ। ନାଚୁଥିବା ଦୁଇଜଣ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ବୋଲି କୁହାଯାଉଛି। ନିକଟରେ ପୋଲିସ ସେବା ଭବନରେ ଜଣେ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏବେ ପୋଲିସ କର୍ମଚାରୀଙ୍କ ଡ୍ୟାନ୍ସ ଘଟଣା ପୋଲିସ ଭବନକୁ ଆଉଏକ ବଦନାମ ଦେଇଛି।
ତେବେ ଏହି ଡ୍ୟାନ୍ସ ଭିଡିଓ ଦେଖିବା ପରେ କମିଶନରେଟ ପୋଲିସର ପିଆର୍‌ଓ ଶିଶିର ମିଶ୍ର କହିଛନ୍ତି, ବାହାର ଲୋକଙ୍କୁ ପୋଲିସ ଭବନ ପରିସରକୁ ପ୍ରବେଶ ବାରଣ କରାଯାଇଛି। ରବିବାର ଉକ୍ତ ସମୟରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଡକାଯିବା ସହ ସେମାନଙ୍କ ଦାୟିତ୍ୱରେ ଥିବା ଡେପୁଟି ସୁବେଦାରଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।

Share