Categories: ଜାତୀୟ

ସ୍ବାମୀଙ୍କର ଏହି ପଦିଏ କଥାରେ ଭିଡିଓ ପ୍ରସ୍ତୁତ କରି ଜୀବନ ହାରିଲେ ସ୍ତ୍ରୀ

ଅହମ୍ମଦାବାଦ,୨୭।୨: ଅହମ୍ମଦାବାଦର ଆୟେଶା ନାମକ ଜଣେ ମହିଳା ଆତ୍ମହତ୍ୟା ପୂର୍ବରୁ ଭିଡିଓ ଏକ ପ୍ରସ୍ତୁତ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ପରିବାରକୁ ମେସେଜ ଦେଇଛନ୍ତି। ଖାଲି ଏତିକି ନୁହେଁ ଆତ୍ମହତ୍ୟା ପୂର୍ବରୁ ନିଜ ମାତାପିତାଙ୍କୁ ଫୋନ୍‌ ବି କରିଥିଲେ। ଏହା ଶୁଣି ତାଙ୍କ ମାତାପିତା ତାଙ୍କୁ ବୁଝାଇଥିଲେ। ମାତ୍ର ଆୟେଶା ମାନି ନ ଥିଲେ। ସେ କହିଥିଲେ ବହୁତ ହୋଇଗଲା, ଆଉ ନୁହେଁ। ବଞ୍ଚିଯିବି ଯଦି ମୋତେ ନେଇଯିବ। ମରିଯିବି ଯଦି କବର ଦେଇଦେବ। ଆୟେଶା ତାଙ୍କ ମାତାପିତାଙ୍କୁ କହିଥିଲେ ମୋ’ ସ୍ବାମୀଙ୍କର ମୋ ବିଷୟରେ ଚିନ୍ତା ନାହିଁ। ମୋ ମରିବା କଥା ଶୁଣି ସେ ମୋତେ କହିଲେ ମରିବାକୁ ଚାହୁଁଛ ତ ମରିଯାଅ। ଏହାର ଭିଡିଓ କରି ମୋତେ ପଠାଇଦିଅ। ସ୍ବାମୀଙ୍କର ଏହି ପଦିଏ କଥା ଆୟେଶାଙ୍କୁ ବହୁତ ବାଧିଥିଲା। ଶେଷରେ ସ୍ବାମୀ କହିବା ଅନୁଯାୟୀ ଆୟେଶା ଆତ୍ମହତ୍ୟା ପୂର୍ବରୁ ଭିଡିଓ ପ୍ରସ୍ତୁତ କରି ନଦୀକୁ ଡେଇଁ ପଡ଼ିଥିଲେ।

ଭିଡିଓରେ ଆୟେଶା କହିଥିଲେ, ମୋ ନାଁ ଆୟେଶା ଆରିଫ୍‌ ଖାନ୍‌। ମୁଁ ଯାହା ବି କରିବାକୁ ଯାଉଛି ମୋ ନିଜ ଇଚ୍ଛାରେ। ଏଥିରେ କାହାର ଦୋଷ ନାହିଁ। କେତେଦିନ ଆଉ ଲଢ଼ିବି। କେସକୁ ଉଠାଇନିଅ।

ଅନ୍ୟପକ୍ଷରେ ଆୟେଶାଙ୍କ ପିତା ଲିୟାକତ ଅଲ୍ଲୀ କହିଛନ୍ତି, ମୋ ଝିଅକୁ ୨୦୧୮ରେ ରାଜସ୍ଥାନର ଆରିଫ୍‌ ଖାନଙ୍କ ସହ ବିବାହ ଦେଇଥିଲି। ବିବାହ ପରେ ସେ ମୋ ଝିଅକୁ ମାନସିକ, ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ଅଧିକାଂଶ ସମୟ ଝିଅ ଆମ ଘରକୁ ଚାଲିଆସୁଥିଲା। ପରେ ବୁଝାଇ ଶୁଝାଇ ଶାଶୁଘରେ ଛାଡୁଥିଲୁ। ଏଥର କିନ୍ତୁ ଝିଅ ଆଉ କାହା କଥା ସହି ପାରିଲାନି ଶେଷରେ ଜୀବନ ହାରିଦେଲା।

Share