Advertisement

ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମୀ

କେନ୍ଦୁଝର, ୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଅପରାହ୍ନରେ କେନ୍ଦୁଝର ଏମ୍‌ପିଙ୍କ ପ୍ରତିନିଧି ହରିହର ପ୍ରଧାନ ଓ ସେମାନଙ୍କ ସମର୍ଥକମାନେ ଅଫିସ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ପରେ ଆପୋଷ ବୁଝାମଣା ପରେ ତାଲା ଖୋଲାଯାଇଥିଲା।
କେତେକ କାମକୁ ନେଇ ଏମ୍‌ପିଙ୍କ ପ୍ରତିନିଧି ପ୍ରଧାନ ଓ ଅନ୍ୟ କେତେକ ଭାଜପା କର୍ମୀ ବ୍ଲକକୁ ଆସିଥିଲେ।

ସେମାନେ ବିଡିଓ ଗୀତା ମୁର୍ମୁଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ। ତେବେ କୌଣସି ନିର୍ଦ୍ଦିଷ୍ଟ କାମ ନ ଥାଇ ବାରମ୍ବାର ବହୁ ସଂଖ୍ୟାରେ କାହିଁକି ଆସୁଛ ବୋଲି ବିଡିଓ ସେମାନଙ୍କୁ କହିବାରୁ ବିଡିଓ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଏମ୍‌ପି ପ୍ରତିନିଧି ଓ ଭାଜପା କର୍ମୀମାନେ ବିଡିଓ ମୁର୍ମୁ ଅଫିସରେ ଥିବା ବେଳେ ବାହାରୁ ତାଲା ପକାଇ ଦେଇଥିଲେ। ଭାଜପା କର୍ମୀଙ୍କ କହିବା ଅନୁସାରେ ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା ପାଇଁ ଆସିଥିବା ବେଳେ ବିଡିଓ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଅନ୍ୟପକ୍ଷରେ ବିଡିଓ ମୁର୍ମୁ କହିଛନ୍ତି, ଏମ୍‌ପି ପ୍ରତିନିଧି ଓ ସେମାନଙ୍କର ସମର୍ଥକମାନେ ବାରମ୍ବାର ଆସୁଥିବାରୁ କାହିଁକି ଏତେ ଜଣ ଆସୁଛ, ଜଣେ ଦୁଇ ଜଣ ଆସିଲେ କଥାବାର୍ତ୍ତା ହୋଇହେବ ବୋଲି କହିଥିଲେ। ହେଲେ ଏଥିରେ ସେମାନେ ଉତ୍‌କ୍ଷିପ୍ତ ହୋଇ ଅଫିସ୍‌ରେ ସେମାନେ ତାଲା ପକାଇଥିଲେ। ଅନ୍ୟପକ୍ଷରେ ଏମ୍‌ପି ପ୍ରତିନିଧି ହରିହର ପ୍ରଧାନ କହିଛନ୍ତି ଯେ, ସରକାରୀ ଦଳର ହୋଇଥିବାରୁ ମଙ୍ଗଳବାର ଦୁଇ ମଣ୍ଡଳର ସଭାପତି ଓ ଅନ୍ୟମାନେ କେତେକ ଉନ୍ନୟନମୂଳକ କାମ ବିଷୟରେ ଆଲୋଚନା କରିବାକୁ ଯାଇଥିଲୁ। କାହିଁକି ଏତେ ସଂଖ୍ୟାରେ ଆସିଛ ବୋଲି କହି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଫଳରେ ତା’ର ପ୍ରତିବାଦରେ ଫାଟକ ନିକଟରେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share