ତଦନ୍ତରେ ବାଧା ଭିଏଟ୍‌ନାମା ଭାଷା

ପାରାଦୀପ,୬।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ବର୍ଥରୁ ନଭେମ୍ବର ୩୦ ତାରିଖ ରାତିରେ ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜରୁ ୨୨ ପ୍ୟାକେଟ୍‌ କୋକେନ ଜବତ କରାଯାଇଥିଲା। ଏହାର ମୂଲ୍ୟ ୨୨୦ କୋଟି ଟଙ୍କା ବୋଲି ସେତେବେଳେ କଷ୍ଟମ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଉକ୍ତ ଘଟଣା ଇତିମଧ୍ୟରେ ୫ ଦିନ ଅତିକ୍ରାନ୍ତ ହେଲାଣି। କିନ୍ତୁ ଉକ୍ତ କୋକେନ କେଉଁଠୁ ଓ କିପରି ଆସିଲା ତାହା ମଙ୍ଗଳବାର ସା ସୁଦ୍ଧା ଜଣାପଡ଼ିନାହିଁ। ଏପରିକି ୪ଟି ତଦନ୍ତକାରୀ ସଂସ୍ଥା ଏହା ମଧ୍ୟରେ ତଦନ୍ତ ଚଳାଇଥିଲେ ହେଁ ରହସ୍ୟ ଉନ୍ମୋଚନ ହୋଇନାହିଁ। ଉକ୍ତ ସଂସ୍ଥାଗୁଡ଼ିକ ହେଲେ କଷ୍ଟମ୍ସ, କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, ଏନ୍‌ସିବି ଓ ଆଇବି। କଷ୍ଟମ୍ସ ବିଭାଗ ଏବେ ତଦନ୍ତ କରୁଥିବା ବେଳେ ଅନ୍ୟ ୩ ସଂସ୍ଥା ପାରାଦୀପରୁ ଫେରି ଗଲେଣି। କଷ୍ଟମ୍ସ ବିଭାଗ କମିଶନର ୨ତାରିଖରେ କେବଳ ପ୍ରେସ୍‌ ରିଲିଜ୍‌ ଜରିଆରେ ଜବତ ସମ୍ପର୍କରେ ସୂଚନା ଦେଇଥିଲେ। ତା’ପରଠାରୁ ଆଉ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ମଙ୍ଗଳବାର ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ବର୍ଥ ପାଖରେ ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା ବେଳେ ସେ କେତେକ ପ୍ରସଙ୍ଗ ଉପରେ ଅନୌପଚାରିକ ଭାବେ ସୂଚନା ଦେଇଛନ୍ତି। ଯଥା ତଦନ୍ତରେ ଭାଷା ବାଧକ ବୋଲି କହିଛନ୍ତି। ଜାହାଜରେ ଥିବା କ୍ୟାପ୍‌ଟେନ ଓ ୨୧ ଜଣ ନାବିକ ଭିଏଟ୍‌ନାମ ଦେଶର। ସେମାନଙ୍କ ଭାଷା ବୁଝି ହେଉନାହିଁ। ସେଥିପାଇଁ ଜଣେ ଭାଷା ବିଶେଷଜ୍ଞଙ୍କ ଜରିଆରେ ପ୍ରତ୍ୟେକଙ୍କ ବୟାନ ରେକର୍ଡ କରାଯାଉଛି। ଜାହାଜ ପୂର୍ବପରି ବର୍ଥରେ ରହିଛି। ସେଥିରେ ପ୍ରାୟ ୫ ହଜାର ମେଟ୍ରିକଟନ ଷ୍ଟିଲ କାର୍ଗୋ ବୋଝେଇ ହୋଇ ରହିଛି। ମଙ୍ଗଳବାର ଜାହାଜ ମାଲିକ ଦୁଇଜଣ ଓକିଲଙ୍କୁ ନେଇ ଘଟଣା ସ୍ଥଳକୁ ଆସିଥିଲେ। ମାମଲା ରୁଜୁ ହୋଇ ନ ଥିବାରୁ ଓକିଲ ବିଶେଷ କିଛି ପଦକ୍ଷେପ ନେଇନାହାନ୍ତି। ଯେଉଁ କ୍ରେନ୍‌ କ୍ୟାବିନ ମଧ୍ୟରେ କୋକେନ ମିଳିଥିଲା ତାହା ସେମିତି ରହିଛି। ସମ୍ଭାବ୍ୟ ବାତ୍ୟା ଯୋଗୁ ଅନୁମତି ମିଳିବା ପରେ କ୍ରେନକୁ ସ୍ବାଭାବିକସ୍ତରକୁ ନିଆଯାଇଛି। ରପ୍ତାନିକାରୀ ସଂସ୍ଥା ଜେଏସ୍‌ପିଏଲ୍‌ ଜାହାଜରେ ବୋଝେଇ ହୋଇଥିବା କାର୍ଗୋକୁ ଖାଲି କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।
ଆଉ ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଶ୍ରମିକ ଗୋଟିଏ ଜାହାଜ ମଧ୍ୟରୁ କିଛି ଚୋରି କରି ବାହାରକୁ ଆଣୁଥିବା ଛୋଟ ଭିଡିଓ ଭାଇରାଲ ହେଉଛି। କିନ୍ତୁ କେଉଁ ଜାହାଜର ଏହି ଦୃଶ୍ୟ ତାହା ଅସ୍ପଷ୍ଟ ରହିଛି। ଶ୍ରମିକ ଜଣକ ପାରାଦୀପର ବୋଲି ଜଣାପଡ଼ିଛି। ତେବେ ତଦନ୍ତରେ ଶିଥିଳତା ଯୋଗୁ ପିଆଇସିଟି (ଜେଏମ୍‌ ବକ୍ସି) କମ୍ପାନୀଠାରୁ ଆରମ୍ଭ କରି ରପ୍ତାନିକାରୀ ସଂସ୍ଥା, ଷ୍ଟିଭେଡର୍ସ, ଏଜେଣ୍ଟ ଆଦି କମ୍ପାନୀର କ୍ଷତି ବଢ଼ିବାରେ ଲାଗିଛି। ଯେଉଁ ବର୍ଥରେ ଜାହାଜ ରହିଛି, ସେଠାରେ ପଣ୍ୟ କାରବାର ହୋଇପାରୁନାହିଁ। ଜାହାଜ ଭଡ଼ାଠାରୁ ଆରମ୍ଭ କରି ରପ୍ତାନିକାରୀ ସଂସ୍ଥା ପର୍ଯ୍ୟନ୍ତ ଏହି ୬ ଦିନରେ କୋଟିଏରୁ ଅଧିକ ଟଙ୍କା କ୍ଷତି ସହିଲେଣି। ଏସବୁ ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୋକେନ ଘଟଣା ଉପରୁ ରହସ୍ୟ ଖୋଲୁନାହିଁ।