୧୬୦ କି.ମି.ଚାଲିକି ଗାଁକୁ ଆସିଲେ ଦାଦନ ଶ୍ରମିକ

ଭବାନୀପାଟଣା,୭।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ଜିଲାରେ ପୁଣି ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି। କଳାହାଣ୍ଡି ଜିଲାରୁ ସୁଦୂର ବାଙ୍ଗାଲୁରକୁ ଦାଦନ ଖଟିବାକୁ ଯାଇ ସେଠାରେ ଠିକାଦାରଙ୍କ ଦ୍ୱାରା ନିର୍ଯାତିତ ହୋଇ କୌଣସି ପାଉଣା ନ ପାଇ ଶେଷରେ ଚାଲି ଚାଲି ଆସିବା ଘଟଣା ସମଗ୍ର ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ପେଟପାଟଣା ପାଇଁ ଗତ ୨ ମାସ ତଳେ କଳାହାଣ୍ଡିରୁ ବେଙ୍ଗୁଲୁରକୁ ଯାଇଥିଲେ ଜିଲାର ଜୟପାଟଣା ବ୍ଲକ ଅଧୀନ ଜାମଚୁଆ ଗାଁର ଭିକାରୀ ମାଝୀ, କାତାର ମାଝୀ ଓ ସୋମବାରୁ ମାଝୀ। ବାଲୁଗାଁର ଜଣେ ଠିକାଦାରଙ୍କ ସହାୟତାରେ ସେମାନେ କୁଲି କାମ କରିବାକୁ ଯାଇଥିଲେ ବେଙ୍ଗଲୁର। ବେଙ୍ଗୁଲୁରରେ ଠିକାଦାର ନିର୍ଯାତନା ଦେବା ସହିତ ମାରଧର କରିବାରୁ ଗତ ରବିବାର କମ୍ପାନୀରୁ ଲୁଚି କି ଗାଁ ଅଭିମୁଖେ ବାହାରିଥିଲେ ଉପରୋକ୍ତ ୩ ଶ୍ରମିକ। ତେବେ ପାଖରେ ଟଙ୍କା ନ ଥିବାରୁ ପ୍ରଥମେ ସେମାନେ ବାଙ୍ଗାଲୋରରୁ ଏକ ଟ୍ରେନ ରେ ବିନା ଟିକେଟରେ ବିଶାଖାପାଟଣା ପର୍ଯ୍ୟନ୍ତ ଆସିଥିଲେ। ପରେ ବିଶାଖାପାଟଣାରୁ କୋରାପୁଟ ଜିଲାର ପଟାଙ୍ଗୀ ୧୬୦ କିମି ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସିଥିଲେ। ସେଠାରୁ ଏକ ଟ୍ରକରେ ନବରଙ୍ଗପୁର ଆସି ସେଠାରୁ ଏକ ଟ୍ରାକ୍ଟର ଯୋଗେ ପୁଣି କଳାହାଣ୍ଡି ଜିଲା ନିଜ ଅଞ୍ଚଳକୁ ଆସିଥିବା ପ୍ରକାଶ କରିଛନ୍ତି। ଗାଁ ରେ ସେମାନେ ପହଞ୍ଚିବା ପରେ ସ୍ଥାନୀୟ ବ୍ଲକ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସେମାନଙ୍କ ଠାରୁ ସମସ୍ତ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ ସେମାନେ କାମ କରିଥିବା ୨ ମାସର ପାଉଣା ପାଇ ନ ଥିବା ବେଳେ ସେହି ଟଙ୍କା ଫେରି ପାଇବା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

Share