୫ ଯୁବକଙ୍କୁ ହରାଇ ଗାଁ ସ୍ତବ୍ଧ

ଖମାର,୨।୩(ଡି.ଏନ.ଏ.) ପାଲଲହଡା ବ୍ଲକ ଖମାର ଥାନା କଣ୍ଟିଆପସି ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ୫ ଯୁବକଙ୍କ ଅକାଳ ବିୟୋଗ ଇଞ୍ଜିଡ଼ ଗାଁକୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣା ଖବର ପହଞ୍ଚିବା ପରଠାରୁ ମୃତକଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବାବେଳେ ଗାଁ ଲୋକେ ଶୋକରେ ଡୁବି ଯାଇଛନ୍ତି। ରାତି ସାରା କାହାରି ଆଖିକୁ ନିଦ ଆସି ନ ଥିଲା। ସମସ୍ତେ ଅପେକ୍ଷା କରିଥିଲେ କେତେବେଳେ ପୋଲିସ ମୃତଦେହ ପରିବାରକୁ ହସ୍ତାନ୍ତର କରିବ ଓ ତାହା ଗାଁରେ ପହଞ୍ଚିବ। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ହୋଇ ପାଲଲହଡ଼ା ମେଡିକାଲରୁ ଫେରିବା ପରେ ଅପରାହ୍ନ ୪ଟାରେ ଗାଁରେ ପହଞ୍ଚିଥିଲା। ଏହାପରେ କାନ୍ଦରେ ଫାଟି ପଡ଼ିଥିଲା ସାରା ଗାଁ। ମୃତକଙ୍କ ମୁହଁ ଟିକେ ଦେଖିବାକୁ ଶତାଧିକ ଲୋକ ଭିଡ଼ ଜମାଇଥିଲେ।

ଗୋଟିଏ ମଶାଣିରେ ୪ ଜୁଇ

ମୃତ ୫ ଯୁବକ ଇଞ୍ଜିଡ଼ ଗ୍ରାମର ହୋଇଥିଲେ ହେଁ ଦୁଇଟି ମଶାଣିରେ ସେମାନଙ୍କ ମୃତଦେହ ଦାହ କରାଯାଇଛି। ଗୋଟିଏ ଶ୍ମଶାନରେ ୪ ଜଣ ଓ ଅନ୍ୟ ଜଣଙ୍କ ମୃତଦେହ ଆଉ ଗୋଟିଏ ମଶାଣିରେ ସଂସ୍କାର କରାଯାଇଛି। କାରଣ ମୃତ ଦିଲୀପ କୁମାର ସାହୁ ଓ ପିନୁ ସାହୁ ଗୋଟିଏ ପରିବାରର ହୋଇଥିବାବେଳେ ତାଙ୍କ ପିଉସୀ ପୁଅ ଭାଇ ହେଉଛନ୍ତି ରାନୁ ପ୍ରଧାନ। ତେଣୁ ରାନୁଙ୍କ ମୃତଦେହ ତାଙ୍କ ପରିବାର ପକ୍ଷରୁ ଘର ନିକଟ ଅନ୍ୟ ମଶାଣିରେ ପୋଡ଼ାଯାଇଛି। ବାକି ୪ ଜଣ ଦିଲୀପ, ପିନୁ, ବାପୁନ ଓ ଗୌରଚନ୍ଦ୍ରଙ୍କ ମୃତଦେହ ଗୋଟିଏ ଶ୍ମଶାନରେ ଦାହ କରାଯାଇଛି।

Share