
ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗାଁ। ବଣ ପାହାଡ଼ ଘେରା ଏହି ଗାଁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିଲେ ବି ସମସ୍ୟାଘେରରେ ଛନ୍ଦିହୋଇ ରହିଛି। ଗାଁରେ ୧୮ ଆଦିବାସୀ ପରିବାର ଓ ୩ ଦଳିତ ପରିବାରର ୧୦୦ରୁ ଊଦ୍ଧର୍ବ ଲୋକ ବସବାସ କରନ୍ତି। ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇଛି। ଗ୍ରାମବାସୀଙ୍କ ପାଇଁ ରାସ୍ତା ମୁଖ୍ୟ ସମସ୍ୟା ପାଲଟିଛି। ରାସ୍ତା ନ ଥିବାରୁ ଗାଁ ଲୋକେ ୮ କି.ମି. ପାହାଡ଼ ଚଢି ବୁଢୀଦର ପଞ୍ଚାୟତକୁ ଯାଇଥାନ୍ତି। କୌଣସି ଗର୍ଭବତୀ, ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ନେଇଥାନ୍ତି। ମୋବାଇଲ ନେଟ୍ୱର୍କ ନ ଥିବାରୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ। ସମସ୍ତଙ୍କ ଘରେ ସୋଲାର ଲାଇଟ ଲାଗିଥିଲେ ବି କୌଣସି ଗୋଟିଏ ମଧ୍ୟ ଜଳୁନାହିଁ। ସେହିପରି ଗାଁରେ ଥିବା ବିଦ୍ୟାଳୟ କଥା ନ କହିବା ଭଲ। ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଗୃହ ରହିଥିବାରୁ ଏବେ ଛାତ୍ରୀଛାତ୍ର ଗଛ ତଳେ ବସି ପାଠ ପଢୁଛନ୍ତି। ଶିକ୍ଷା ବିଭାଗର ଏହା ହେଉଛି ବାସ୍ତବ ଚିତ୍ର। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୪ ଜଣ ଛାତ୍ରୀଛାତ୍ର ରହିଛନ୍ତି। ଶୀଘ୍ର ଏଠାରେ ଏକ ସ୍କୁଲ ଗୃହ ନିର୍ମାଣ କରିବାକୁ ସ୍କୁଲ କମିଟି ସଭାପତି ହରି ମାଝୀ ଦାବି କରିଛନ୍ତି।