ଆନ୍ଧ୍ର ମାନଚିତ୍ରରେ ଓଡ଼ିଶାର ଏହି ଗାଁ, ଓଡ଼ିଆ ବଦଳରେ ତେଲୁଗୁ କହିଲେଣି ଲୋକେ

ଚିତ୍ରକୋଣ୍ଡା,୧୧।୨(ଡି.ଏନ୍‌.ଏ.): ଓଡ଼ିଶା ହାତରୁ ଖସୁଛି ଆନ୍ଧ୍ର ସୀମାନ୍ତ ଆଉ ଗୋଟିଏ ଗାଁ। ଦୀର୍ଘବର୍ଷ ଧରି ଆନ୍ଧ୍ର ସରକାରଙ୍କଠାରୁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପାଇ ସମ୍ପୂର୍ଣ୍ଣ ଢଳି ସାରିଲେଣି ଗ୍ରାମବାସୀ। ଏପରିକି ନିଜ ମାତୃଭାଷାକୁ ଭୁଲି ସାରିଲେଣି। କୋରାପୁଟ ଜିଲାର କୋଟିଆ ଭଳି ବିବାଦୀୟ ସ୍ଥିତି ଏଠାରେ ଉପୁଜିଛି। ଚଳିତ ସପ୍ତାହରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ସାମିଲ ହେବେ ବୋଲି ସୂଚନା ମିଳିଛି। ତୁରନ୍ତ କେଣସି ପଦକ୍ଷେପ ନିଆ ନ ଗଲେ ଆନ୍ଧ୍ର ମାନଚିତ୍ରରେ ଏହି ଗାଁ କେତେବେଳେ ଯେ ଯୋଡ଼ି ହୋଇଯିବ ତାହା କହିହେବ ନାହିଁ।

ମାଲକାନଗିରି ଜିଲା ଚତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗାଁ ଉପରେ ପଡ଼ୋଶୀ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି। ସରକାର ଏବଂ ପ୍ରଶାସନିକ ଅବହେଳାର ସୁଯୋଗ ନେଇ କିଛିବର୍ଷ ତଳେ ଏହି ଗାଁରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ। ପ୍ରଥମେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଇଥିଲେ। ଲୋକେ ଆନ୍ଧ୍ର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ଉକ୍ତ ଗାଁକୁ ବିଭିନ୍ନ ଯୋଜନାରେ ସହାୟତା ଯୋଗାଇଲା ଆନ୍ଧ୍ର ସରକାର। ଏହା ପରେ ପୂରା ଗାଁକୁ ଅକ୍ତିଆର କରିବାକୁ ଲୋକଙ୍କୁ ଆନ୍ଧ୍ରର ପରିଚୟପତ୍ର ଦିଆଯାଇଛି। ଏବେ ଗ୍ରାମବାସୀ ଆନ୍ଧ୍ର ଦେଇଥିବା ଭୋଟର କାର୍ଡ, ରାଶନକାର୍ଡ ଏବଂ ଆଧାର କାର୍ଡକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। କାଁ ଭାଁ ଲୋକଙ୍କୁ ବାଦ୍‌ ଦେଲେ ସମସ୍ତେ ତେଲୁଗୁ ଭାଷାରେ ହିଁ କଥାବାର୍ତ୍ତା କରୁଛନ୍ତି।

ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗାଁରେ ୨୧ଟି ପରିବାର ବାସ କରୁଥିବା ବେଳେ ଓଡ଼ିଶା ସରକାର ତଥା ଜିଲା ପ୍ରଶାସନ ଦ୍ୱାରା ଓଡ଼ିଶାର ୬୮ ଲୋକଙ୍କର ରହିଛି ଭୋଟର ତାଲିକାରେ। ୧୪ ପରିବାର ପାଇଛନ୍ତି ସେଟେଲମେଣ୍ଟ ପଟା, ବିଭିନ୍ନ ଯୋଜନାରେ ୧୮ ପରିବାର ପାଉଛନ୍ତି ଚାଉଳ, ୧୦ ଜଣ ପାଉଛନ୍ତି ଭତ୍ତା, ଚିତ୍ରକୋଣ୍ଡା ତହସିଲରେ ୨୨ ଜଣଙ୍କ ନାମରେ ଜଙ୍ଗଲଜମି ପଟା ପାଇଁ ଦରଖାସ୍ତ ହୋଇ ଅନୁମୋଦନ ହୋଇଛି l ଓଡ଼ିଶାର ବିଭିନ୍ନ ସୁବିଧା ସୁଯୋଗ ସହାୟତା ରହିଥିବା ବେଳେ ଉକ୍ତ ଜୁମଡାଙ୍ଗ ସୀମାନ୍ତ ଗାଁ ଓଡ଼ିଶା ହାତରୁ ଖସିଯିବାକୁ ବସିଛି।
ବିଭିନ୍ନ ସ୍ଥାନରେ ତେଲୁଗୁ ଭାଷାରେ ଆନ୍ଧ୍ର ଉଲ୍ଲେଖ ରହିଛି। ଆନ୍ଧ୍ର ନିର୍ବାଚନରେ ଜୁମଡାଙ୍ଗ ଗ୍ରାମବାସୀ ଭୋଟ୍‌ ଦେବାକୁ ବାହାରିଛନ୍ତି। ଚିତ୍ରକୋଣ୍ଡା ତହସିଲଦାରଙ୍କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ କୌଣସି ସୂଚନା ନ ଥିବା ପ୍ରକାଶ କରିବା ସହ ଉକ୍ତ ତଥ୍ୟର ସତ୍ୟତା ପାଇଁ ତଦନ୍ତ କରାଯିବ ବୋଲି କହିଛନ୍ତି।