ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ପଞ୍ଚାୟତବାସୀ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଉପରେ ହିଁ ଗୁଆଲଡିହ ରେଳ ଷ୍ଟେଶନ ରହିଛି । ରାସ୍ତା ମରାମତି କିମ୍ବା ପିଚୁ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ଯୋଗୁ ଲୋକେ ଯମଯନ୍ତ୍ରଣା ଭୋଗୁଛନ୍ତି।

ଗତ ଲଘୁଚାପ ଜନିତ ବର୍ଷାରେ ରାସ୍ତା ଖରାପ ହୋଇଯାଇଛି। ଯାହାକୁ ପ୍ରଶାସନ ଦୃଷ୍ଟି ଦେଉନଥିବା ବେଳେ ଆଜି ସ୍ଥାନୀୟ ଗ୍ରାମର ଈଶ୍ୱର ମୁଣ୍ଡା, ଭଦ୍ର ମୁଣ୍ଡା, ଆକାଶ ମୁଣ୍ଡା, ଚୁଲୁ ମୁଣ୍ଡା, ଡଡ ମୁଣ୍ଡା, କନ୍ଦା ମୁଣ୍ଡା, କନ୍ଦାଚାତ୍ତର ମୁଣ୍ଡା ପ୍ରମୁଖଙ୍କ ପ୍ରଚେଷ୍ଟା ଦାରା ଖାଲ ସ୍ଥାନକୁ ମାଟି ଏବଂ କାରଖାନାର ବର୍ଯ୍ୟ ବସ୍ତୁ ପକାଇ ରାସ୍ତା ମରାମତି କରିଛନ୍ତି। ପ୍ରକାଶ ଯେ ଏହି ରାସ୍ତା ମରାମତି କିମ୍ବା ପିଚୁ ନିମନ୍ତେ ସ୍ଥାନୀୟଅଧିବାସୀମାନେ ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏଯାଏ କୌଣସି ଫଳ ପ୍ରଦ ହେଉନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେପଟେ ରାସ୍ତାର ଦୂରବସ୍ଥା ଯୋଗୁ କୌଣସି ଅତ୍ୟାବଶ୍ୟକ ଯାନ ମଧ୍ୟ ଯିବା ଆସିବା କରୁନାହିଁ ଯାହା ଫଳରେ ଲୋକେ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି।