ଯାତାୟାତରେ ଭରା ନାଳ ସାଜିଛି କଣ୍ଟା

ଆର.ଉଦୟଗିରି,୨୯ା୧୦(ଡି.ଏନ.ଏ.): ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ମାଳ ମାଳ। ହେଲେ ସରକାରଙ୍କ ପ୍ରକୃତ ବିକାଶ ଲୋକଙ୍କ ପାଖରେ ପହଞ୍ଚି ପାରୁନି। କାଗଜ କଲମରେ ସୀମିତ ରହିଛି ବିକାଶ। ଭଲ ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ କରାଯାଉନଥିବାରୁ ଗମନାଗମନରେ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଛନ୍ତି ଗ୍ରାମବାସୀ। କୁନି କୁନି ଛାତ୍ରୀଛାତ୍ରମାନେ ଆଣ୍ଠୁଏ କାଦୁଅ ପ ପଚ ରାସ୍ତାରେ ବହୁ କଷ୍ଟରେ ଯାତାୟାତ କରୁଛନ୍ତି। କାଦୁଅରେ ଯାଉଥିବା ବେଳେ ଗୋଡ଼ ଖସିଯାଇ ପଡିଯିବାରୁ ନାଳ ପାଣିରେ ନିଜକୁ ସଫାସୁତୁରା କରୁଛନ୍ତି। ଏମାନଙ୍କ ବଡ଼ ସମସ୍ୟା ହେଉଛି ରାସ୍ତା ମଧ୍ୟରେ ଥିବା ଭରାନାଳ। ଏହି ନାଳପାର ହୋଇ ଏମିତି ଦୈନନ୍ଦିନ ଯିବାକୁ ବାଧ୍ୟ ହୁଅନ୍ତି ଛାତ୍ରୀଛାତ୍ରମାନଙ୍କଠାରୁ ଗ୍ରାମର ବୃଦ୍ଧ ବନିତା। କାରଣ ଗମନାଗମନ ପାଇଁ ଅନ୍ୟ ବିକଳ୍ପ ନାହିଁ। ବର୍ଷା ସମୟରେ ଯାତାୟାତ କରୁଥିବା ବେଳେ ଯଦି ହଠାତ ଜଳସ୍ତର ବୃଦ୍ଧି ପାଏ, ତାହେଲେ ଛାତ୍ରୀଛାତ୍ରମାନେ ଭରାପାଣିରେ ଭାସିଯିବାର ଭୟ ମଧ୍ୟ ରହିଛି। ହେଲେ ଜରୁରୀ କାର୍ଯ୍ୟରେ ଯିବାକୁ ସମସ୍ତେ ବାଧ୍ୟ। ନଗଲେ ନ ଚଳେ ଏହା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ଅଧିନ ବୁଢାପଙ୍କ ଓ ଲୁଦିହୁଏରୀ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ। ଏହି ଦୁଇ ଗାଁରେ ୪୦ରୁ ଉଦ୍ଧର୍‌ବ ଆଦିବାସୀ ପରିବାର ଚାଷବେଉସା ଓ ଫୁଲଛାଞ୍ଚୁଣୀ ତିଆରି କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଏମାନେ ଯେକୌଣସି ଜିନିଷ କିଣାବିକା ହେଉ ଅବା ସ୍ବାସ୍ଥ୍ୟ ସେବା ପାଇଁ ମୋହନା ଉପରେ ନିର୍ଭର କରୁଥିବା ବେଳେ ଛାତ୍ରୀଛାତ୍ରମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଏ.ଖଜୁରିପଦା ଓ କନ୍ଧଅଡ଼ବା ବିଦ୍ୟାଳୟ ଉପରେ ନିର୍ଭର କରନ୍ତି। କିନ୍ତୁ ଏମାନେ ନିକଟସ୍ଥ ଖଜୁରିପଦା ଗାଁକୁ ଗଲେ ହିଁ ଯେଉଁଠାକୁ ମଧ୍ୟ ଯାଇପାରିବେ। ତେବେ ଖଜୁରିପଦା ଗାଁକୁ ପହଞ୍ଚିବାକୁ ହେଲେ ପ୍ରାୟ ତିନି କିମି ଏମିତି ରାସ୍ତା ଅତି ଦୟନୀୟ।